ମଦ ପାଇଁ ଦାମ୍ପତ୍ୟ କଳହ: ସ୍ତ୍ରୀର ପ୍ରତି-ଆକ୍ରମଣରେ ମଦ୍ୟପ ସ୍ୱାମୀର ମୃତ୍ୟୁ ସନ୍ଦେହ: ସ୍ତ୍ରୀ ଅଟକ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ମଦ ପାଇଁ ଲିଭିଗଲା ମଥାର ସିନ୍ଦୂର। ପୁଣି ମଦ ପାଇଁ ଦାମ୍ପତ୍ୟ କଳହ, ଆଉ ଏହି କଳହରେ ସ୍ୱାମୀର ଜୀବନ ଯାଇଥିବା ସନ୍ଦେହ। ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମର ଜଣେ ମଦ୍ୟପ ସ୍ୱାମୀର ମାଡ଼ରୁ ବର୍ତ୍ତିବା ପାଇଁ ସ୍ତ୍ରୀର ପ୍ରତିଆକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ ଏହି ଗ୍ରାମର ଋଷି ଦାସ (୪୬) ଅଧିକାଂଶ ସମୟରେ ମଦ୍ୟ ପାନ କରି ତାଙ୍କ ସ୍ତ୍ରୀ ଉର୍ମିଳାଙ୍କୁ ମାଡ଼ ମାରନ୍ତି। ଏ ବାବଦରେ ଉର୍ମିଳାଙ୍କ ଅଭିଯୋଗ ମୂଳେ ଗ୍ରାମବାସୀମାନେ ଅନେକ ଥର ତାଙ୍କୁ ବୁଝାସୁଝା କରିବା ସହିତ ପଞ୍ଚାୟତରେ ଉଭୟଙ୍କର ମୀମାଂଶା କରାଯାଇଥିଲା। କିନ୍ତୁ ଗତକାଲି ରାତିରେ ଋଷି ମଦପିଇ ଘରେ ପହଞ୍ଚି ଉର୍ମିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଆକ୍ରମଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଉର୍ମିଳା ପ୍ରତିଆକ୍ରମଣ କରି କୌଣସି ଏକ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଋଷିର ମୃତ୍ୟୁ ହୋଇଯାଇଥିଲା। ଆଜି ସକାଳେ ପରିବାର ଲୋକେ ଏବଂ ଗ୍ରାମବାସୀମାନେ ତାଙ୍କ ଶବକୁ ସତ୍କାର କରିବା ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ସୋର ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଋଷିର ଶବକୁ ବ୍ୟବଛେଦ ପାଇଁ ସୋର ମେଡିକାଲକୁ ଆଣିଥିଲେ। ଅପରାହ୍ନରେ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ସ୍ତ୍ରୀ ଉର୍ମିଳାକୁ ଅଟକ ରଖି ଘଟଣାର ଅଧିଜ ତଦନ୍ତ ଆରମ୍ଭ କରିଛି।
