ମାଁ ଗଢ଼ିଆଣୀ ଫୁଟବଲ୍ ପ୍ରତିଯୋଗିତା: ଦ୍ୱିତୀୟ ଦିବସ ଖେଳରେ ପଳସାପଡ଼ାକୁ ହରାଇ ସୁବ୍ରତ-୧୧ ବିଜୟୀ
ସିନାପାଲି, ୨୫/୧୦ (ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ର ବରଗାଁ ଓ ଜାମଗାଁର ମିଳିତ ଆୟୋଜନରେ ଚାଲିଥିବା ମା’ ଗଢ଼ିଆଣୀ ନକ୍ଆଉଟ୍ ଫୁଟବଲ୍ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ସୁବ୍ରତ-୧୧ ଦଳ ବିଜୟ ହାସଲ କରିଛି। ପଳସାପଡ଼ା ଓ ସୁବ୍ରତ-୧୧ ମଧ୍ୟରେ ହୋଇଥିବା ରୋମାଞ୍ଚକର ମୁକାବିଲାରେ ସୁବ୍ରତ-୧୧ ଦଳ ଗୋଟିଏ ଗୋଲ୍ରେ ବିଜୟୀ ହୋଇଥିଲା। ଖେଳ ଦେଖିବା ପାଇଁ ମଇଦାନରେ ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଜାରାମ କଟା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ କଟା, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଦେବାନନ୍ଦ ମେହେର, କ୍ଷିତିଶ କୁମାର ମେହେର, ରୁଦ୍ରମାଧବ କଟା, ଭରଦ୍ୱାଜ ଠେଲା, ନେତ୍ରାନନ୍ଦ ଭୋଇ, ମିନିକେତନ ସୁନାରୀ, କାଳିଆ ବାରିକ, ହେରାମ୍ବ ଭୋଇ ଓ ଜନ୍ମେଜୟ ଭୋଇ ଉପସ୍ଥିତ ଥିଲେ। ଯୁବ ସାମ୍ବାଦିକ ଧର୍ମେନ୍ଦ୍ର କୁମାର ଗହିର, ଗଣେଶ ଚନ୍ଦ୍ର ବାଗ, ଦିନେଶ ଛତ୍ରିଆ ଓ ଯୌବନ ଗହୀରଙ୍କ ସହ ଉପଦେଷ୍ଟା କମିଟିର ସଦସ୍ୟ ଗୁପ୍ତେଶ୍ୱର ଜଗତ, ଗରିବ ହଂସ, ବିପିନ ସୁନାରୀ ଓ ଦୈତାରୀ ଭୋଇ ମଧ୍ୟ ଉପସ୍ଥିତ ଥିଲେ।
ମ୍ୟାଚ୍ ପରିଚାଳନା କରିଥିଲେ ଦୈତାରୀ ପଣ୍ଡା। କ୍ଷୀରୋଦ ଭୋଇ ଓ ସୁମନ୍ତ ହେର୍ଣ୍ଣା ସହଯୋଗ କରିଥିବା ବେଳେ ନିଲଜୀ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ସୁନାରୀ ଓ ଜଗଦୀଶ ନାଗ ଧାରାବିବରଣୀ ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତା ଅଞ୍ଚଳରେ ଫୁଟବଲ୍ ଖେଳର ପ୍ରସାର ଓ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।
