ଭୀମଭୋଇ କଲେଜରେ ଆଜି ଛାତ୍ର ସଂସଦ ନିର୍ବାଚନ।
# କଲେଜରେ ନିର୍ବାଚନ ସରଗରମ, ତିନି ବିଭାଗରେ ତ୍ରିମୁଖୀ ଲଢ଼େଇ।
ରେଢ଼ାଖୋଲ ୧୪.୧୦(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ସର୍ବ ପୁରାତନ ଭୀମଭୋଇ ମହାବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ, ଏହାକୁ ନେଇ କଲେଜ ପରିସରରେ ରାଜନୈତିକ ଉଷ୍ମତା ବଢ଼ିବା ସହ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ପରିଲକ୍ଷିତ ହୋଇଛି। ଚଳିତ ନିର୍ବାଚନରେ ତିନି ବିଭାଗରେ ତ୍ରିମୁଖୀ ଲଢ଼େଇ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବୁଧୁବାର ଦିନ କଲେଜରେ ‘ହ୍ୱାଏ ଆଇ ଷ୍ଟାଣ୍ଡ ଫର୍’ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାର୍ଥୀ ମାନେ କଲେଜର ବିଭିନ୍ନ ସମସ୍ୟା, ଏହାର ସମାଧାନ ସମ୍ପର୍କରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହେବ। ଏହି ନିର୍ବାଚନରେ ମୋଟ ୭୩୪ ଜଣ ଛାତ୍ରଛାତ୍ରୀ ନିଜର ମତ ସାବ୍ୟସ୍ତ କରିବେ। ଏଥିରେ ଛାତ୍ରଛାତ୍ରୀ ମାନେ ୟୁନିଫର୍ମ ପିନ୍ଧିବା ସହିତ କଲେଜ ପରିସରରେ ମୋବାଇଲ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିପାଇଁ କଲେଜରେ ୬ଟି ବୁଥ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସମ୍ପନ୍ନ କରିବାକୁ ବ୍ୟବସ୍ଥା ହୋଇଥିବାବେଳେ ସନ୍ଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ଭୀମଭୋଇ କଲେଜ ନିର୍ବାଚନର ମୁଖ୍ୟ ପରାମର୍ଶଦାତା ପ୍ରାଧ୍ୟାପକ ଡ଼ ମନୋରଞ୍ଜନ ମହନ୍ତ ପ୍ରତିକ୍ରିୟା ଦେଇଥିଲେ। ଅନ୍ୟପଟେ କଲେଜରେ ରହିଥିବା ପାନୀୟ ଜଳ, ଶୌଚାଳୟ, ଛାତ୍ରାବାସ, କ୍ୟାମ୍ପସର ବିକାଶ ଓ ଲାଇବ୍ରେରୀ ଭଳି ବିଭିନ୍ନ ସମସ୍ୟା ଏଥର ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏହି ସମସ୍ୟା ଗୁଡ଼ିକର ସମାଧାନ କରିବା ସହ କଲେଜର ଉନ୍ନତି ପାଇଁ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇ ପ୍ରାର୍ଥୀ ମାନେ ଛାତ୍ରଛାତ୍ରୀଙ୍କ ଠାରୁ ଭୋଟ୍ ଭିକ୍ଷା କରୁଛନ୍ତି। ତେବେ ଭୀମଭୋଇ କଲେଜରେ ଏହି ତ୍ରିମୁଖୀ ଲଢ଼େଇରେ କାହା ସପକ୍ଷରେ ଛାତ୍ରଛାତ୍ରୀଙ୍କ ରାୟ ଯିବ ଏବଂ କିଏ ହାତେଇବ ବିଜୟ ମୁକୁଟ ଏହା ଦେଖିବାକୁ ବାକି ରହିଲା।
