ବାଲିଗୁଡ଼ାରେ ଔଷଧ ଦୋକାନରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଚଢ଼ାଉ
ନିଶା ଔଷଧ ବିକ୍ରି, ମିଆଦ ଶେଷ ଔଷଧ ଓ ଅଧିକ ଦରରେ ବିକ୍ରି ନେଇ ଯାଞ୍ଚ
ବାଲିଗୁଡ଼ା, ୧୫/୧୦/୨୦୨୬ (ନି.ପ୍ର.) : କନ୍ଧମାଳ ଜିଲ୍ଲାରେ ଔଷଧ ଦୋକାନଗୁଡ଼ିକରେ ନିୟମ ଉଲ୍ଲଂଘନ ଓ ନିଶା ଔଷଧ ବିକ୍ରି ଅଭିଯୋଗକୁ ନେଇ ଔଷଧ ନିରୀକ୍ଷଣ ବିଭାଗ ତତ୍ପର ହୋଇଛି। ଏହି କ୍ରମରେ ବୁଧବାର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳର ଡେଙ୍ଗିଛିଲ ଛକସ୍ଥିତ ପୁରୁଣା ଷ୍ଟେଟ୍ ବ୍ୟାଙ୍କ ନିକଟରେ ଥିବା ତାରାଧୀଶ ଔଷଧ ଦୋକାନରେ କନ୍ଧମାଳ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର ଚଢ଼ାଉ କରି ଔଷଧଗୁଡ଼ିକର ଯାଞ୍ଚ କରିଥିବା ଦେଖିବାକୁ ମିଳିଛି।
ଚଢ଼ାଉ ସମୟରେ ଦୋକାନରେ ଥିବା ବିଭିନ୍ନ ଔଷଧର ଗୁଣବତ୍ତା, ମିଆଦ ଓ ବିକ୍ରି ପ୍ରକ୍ରିୟା ସମ୍ପର୍କରେ ଯାଞ୍ଚ କରାଯାଇଥିଲା। ଡ୍ରଗ୍ସ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ, ନିଶା ଔଷଧ ବିକ୍ରି, ମିଆଦ ଶେଷ ହୋଇଥିବା ଔଷଧ ଏବଂ ନିର୍ଦ୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ଔଷଧ ବିକ୍ରି ଭଳି ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଉଛି। ଏଥିସହ ବିନା ଡାକ୍ତରୀ ପ୍ରେସକ୍ରିପସନ୍ରେ ନିୟମ ଅନୁଯାୟୀ ପ୍ରେସକ୍ରିପସନ୍ ଆବଶ୍ୟକ ଥିବା ଔଷଧ ବିକ୍ରି ନକରିବାକୁ ଔଷଧ ଦୋକାନୀମାନଙ୍କୁ ସତର୍କ କରାଯାଇଛି। ଆଗାମୀ ଦିନରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳର ଅନ୍ୟାନ୍ୟ ଔଷଧ ଦୋକାନରେ ମଧ୍ୟ ଚଢ଼ାଉ ଓ ଯାଞ୍ଚ କରାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ସୂଚନା ଦେଇଛନ୍ତି।
