*ନୂଆପଡ଼ା ନେସନାଲ କଲେଜ ଛାତ୍ର ସଂସଦ ନିର୍ବାଚନ: ରାଜପଥ ଅବରୋଧ ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଜଣେ ନେତା ଅଟକ*।
ନୂଆପଡ଼ା (ମିଖାଏଲ ନନ୍ଦ)
ତା-୧୪/୧୦
ନୂଆପଡ଼ା ଜିଲ୍ଲା ନେସନାଲ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। ନିର୍ବାଚନରେ ବାହ୍ୟ ଶକ୍ତିଙ୍କ ହସ୍ତକ୍ଷେପ ଏବଂ ଅନୁପ୍ରବେଶ ଅଭିଯୋଗ ଆଣି ଯୁବ କଂଗ୍ରେସ କମିଟି ପକ୍ଷରୁ କଲେଜ ସମ୍ମୁଖରେ ଧାରଣା ଦିଆଯିବା ସହ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।
ଆନ୍ଦୋଳନ ସମୟରେ ରାଜପଥ ଅବରୋଧ ହଟାଇବାକୁ ନେଇ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଠେଲାପେଲା ଏବଂ ଧସ୍ତାଧସ୍ତି ଘଟିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଯୁବ କଂଗ୍ରେସ ଉପସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଭରତଲାଲ ରାଉତଙ୍କୁ ପୋଲିସ ଜୋରଜବରଦସ୍ତି ଗାଡ଼ିରେ ବସାଇ ଥାନାକୁ ନେବାକୁ ଉଦ୍ୟମ କରିଥିଲା ଏବଂ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏହି ପ୍ରତିବାଦ ସଭା ଓ ଆନ୍ଦୋଳନରେ ରାଜ୍ୟ ସମ୍ପାଦକ କମଲ ଚରଣ ତାଣ୍ଡି, ଅଭିଷେକ ଜଗତଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ଯୁବନେତା ଉପସ୍ଥିତ ଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ଧାରଣା ପ୍ରତ୍ୟାହୃତ ହୋଇଛି ଏବଂ ଶାନ୍ତ ପରିବେଶ ରହିଛି।
ପ୍ରକାଶ ଥାଉକି, ଆସନ୍ତାକାଲି ସକାଳ ୮ ଘଟିକାରୁ ଦ୍ୱିପ୍ରହର ୨ ଘଟିକା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ ଏବଂ ଅପରାହ୍ନରେ ଭୋଟ୍ ଗଣତି କରାଯିବ ବୋଲି ଜଣାପଡ଼ିଛି।
