ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ଗଣଧାରଣା
______________
ସାରସକଣା,(୧୨.୧୦.୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ଆଜି ବାରିପଦାସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକମାନଙ୍କ ପକ୍ଷରୁ ଗଣଧାରଣା ଦିଆଯାଇଛି। ସୂଚନା ଅନୁଯାୟୀ, ବାଲି ଚୋରା ଚାଲାଣ ସମ୍ପର୍କିତ ଖବର ପ୍ରସାରଣକୁ କେନ୍ଦ୍ର କରି କିଛି ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ଉଠିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ପକ୍ଷରୁ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆଦି ଦାବି ନେଇ ଏହି ଗଣଧାରଣା ଦିଆଯାଇଥିବା ଜଣାପଡ଼ିଛି ସାମ୍ବାଦିକମାନେ ନିର୍ଭୟରେ ନିଜର ବୃତ୍ତିଗତ ଦାୟିତ୍ୱ ତୁଲାଇବା ସହ ସାଧାରଣ ଲୋକଙ୍କ ସମସ୍ୟା ଓ ଅନିୟମିତତାକୁ ଲୋକଲୋଚନକୁ ଆଣିପାରିବା ପାଇଁ ସୁରକ୍ଷିତ ପରିବେଶ ଆବଶ୍ୟକ ବୋଲି ମହାମଞ୍ଚ ପକ୍ଷରୁ ଦାବି କରାଯାଇଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ପୁଲିସ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବା ଦିଗରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମହାମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏହି ଗଣ ଧାରଣରେ ଜିଲ୍ଲାର ୪ଟି ଉପଖଣ୍ଡ ଓ ୨୬ ଟି ବ୍ଳକରୁ ଶହେରୁ ଉର୍ଦ୍ଧ୍ଵ ସାମ୍ବାଦିକ ଯୋଗ ଦେଇଥିଲେ ।ଏହି ମିଳିତ ମହାମଞ୍ଚରେ ଓଡ଼ିଶା ସାମ୍ବାଦିକ ସଂଘ(ଓଜେୟୂ), ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାମ୍ବାଦିକ ସଂଘ(ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ଏବଂ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ପ୍ରମୁଖ ଆଦି ସାମ୍ବାଦିକ ସଂଗଠନ ଯୋଗ ଦେଇଥିଲେ । ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ଦୀପକ କୁମାର ନାୟକଙ୍କ ଦ୍ଵାରା ଅନୁଷ୍ଠିତ ସାମ୍ବାଦିକଙ୍କ ଗଣଧାରଣାରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ, ଓଡ଼ିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଅଭିଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ ରାଜ୍ୟ ଓ ଜିଲ୍ଲାରେ ଥିବା ସମସ୍ତ ସାମ୍ବାଦିକ ମାନଙ୍କର ପଦ ମର୍ଯ୍ୟାଦା ଏବଂ ସୁରକ୍ଷା କ୍ଷୁର୍ଣ୍ଣ ହୋଇ ଥିବା ସହିତ, ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଖଳା ଅଧିକାରୀ ମାନେ ଅଣଦେଖା କରିବା ଆଦି ସରକାର ସମାଧାନ କରନ୍ତୁ ନ ହେଲେ ଆଗାମୀ ଦିନରେ ସମସ୍ତେ ନ୍ୟାୟ ହାସଲ ପାଇଁ ଲଢେଇ ଜାରି ରହିବ । ଜିଲ୍ଲା ଓ ସମସ୍ତ ବ୍ଳକର ସମସ୍ତ ସାମ୍ବାଦିକ ଏହି ଆନ୍ଦୋଳନରେ ସାମିଲ ହୋଇ ଥିବାରୁ ମିଳିତ ମହାମଞ୍ଚ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ଶେଷରେ ଜିଲ୍ଲାରେ ସାମ୍ୱାଦିକ ମାନଙ୍କର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଈଶ୍ଵର ଚନ୍ଦ୍ର ନାୟକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
