ଖଡ଼ିଆଳ ( ମିଖାଏଲ ନନ୍ଦ): ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ନୂଆପଡ଼ା ଜିଲ୍ଲାର ଏକ ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ର। ଏଠାରେ କିନ୍ତୁ ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବାରୁ ରୋଗୀ ଓ ସମ୍ପର୍କୀୟ ସବୁବେଳେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଦୈନିକ ତିନିଶହରୁ ଉର୍ଦ୍ଧ୍ବ ରୋଗୀ ଏଠାରେ ଚିକିତ୍ସା ହୋଇଥାନ୍ତି। ଏଠାରେ ଭର୍ତ୍ତି ହୋଇଥିବା ରୋଗୀ କିନ୍ତୁ ଅଧିକାଂଶରେ ବେଡ ପାଇ ନଥାନ୍ତି, ଫଳରେ ତଳେ ଶୋଇବାକୁ ପଡ଼ିଥାଏ। ଏହା ଏକ ଶହେ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ହେଲେ ମଧ୍ୟ ସମ୍ପୂର୍ଣ ବେଡ ସୁବିଧା ଉପଲବ୍ଧ ନୁହଁ। ବର୍ତ୍ତମାନ ସତୁରି ବେଡ ସୁବିଧା ଥିବା ମହିଳା ଓ ଶିଶୁଙ୍କ ପାଇଁ ତିରିଶିଟି ବେଡ ରହିଛି। ଯାହାଦ୍ଵାରା ସମସ୍ତଙ୍କୁ ବେଡ ମିଳି ପାରୁନି।ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ବିଭିନ୍ନ ଗ୍ରାମରୁ ଆଜି ୨୭ ଜଣ ମହିଳା ଆସିଥିଲେ। ମହିଳା ଓ ପ୍ରସୂତି ବିଭାଗର (ଗାଇନିକ୍) ଡାକ୍ତର ଭୁବନେଶ୍ୱର ମିଶ୍ର ସମସ୍ତଙ୍କ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ କୌଣସି ମହିଳାଙ୍କୁ ବେଡ ନଦେଇ ତଳେ ଶୋଇବାକୁ ଦିଆ ଯାଇଥିଲା। ସମ୍ପର୍କୀୟ ମାନେ ଘରୁ ଆଣିଥିବା ସାଲ, ଚାଦର ଆଦି ପକାଇ ମହିଳା ମାନଙ୍କୁ ଶୁଆଇଥିଲେ। ଫଳରେ ଦେହ ଦରଦ ହେଉଥିବା ସେମାନେ ପ୍ରକାଶ କରିଥିଲେ। ଏପଟେ ଅସ୍ତ୍ରୋପଚାର, ଅନ୍ୟ ପଟେ ଭୂଇଁରେ ଶୁଇବା ସେମାନଙ୍କ ପାଇଁ ଯନ୍ତ୍ରଣା ଆଣି ଦେଇଥିଲା। ଯାହା ସମସ୍ତଙ୍କୁ ଅସନ୍ତୋଷ କରିଥିଲା ଓ ଏସବୁ ଅସୁବିଧା ଦୂର କରିବାକୁ ଦାବି ହୋଇଥିଲା। ମେଡ଼ିକାଲ ଇନ୍ ଚାର୍ଜ ଟ୍ରେନିଂରେ ଯାଇଥିବାରୁ ପ୍ରତିକ୍ରିୟା ମିଳି ପାରି ନଥିଲା।
