ମାଥିଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଡବଲ ଇଞ୍ଜିନ ସରକାରକୁ ମାନସ ମାଡକାମୀଙ୍କ ଟାର୍ଗେଟ୍
ବିଜେପି ସରକାରର ବିଫଳତା ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ, ପଦଯାତ୍ରାରେ ଯୋଗଦେଲେ ଶତାଧିକ ଊର୍ଦ୍ଧ୍ୱ ଜନସାଧାରଣ
ମାଥିଲି ନିପ୍ର: ଶ୍ରୀଧର ପାଢ଼ୀ (ଭଞ୍ଜଦୂତ ଖବର)
ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପରିଷଦ ଜୋନ୍-୧ ଅନ୍ତର୍ଗତ କିଆଙ୍ଗ ହାଟପଡ଼ାଠାରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା। ମାଥିଲି ବ୍ଲକ ବିଜେଡି ସଭାପତି ସଦାଶିବ ପୂଜାରୀ ଏହାର ନେତୃତ୍ୱ ନେଇଥିଲେ।
ଡବଲ ଇଞ୍ଜିନ ସରକାରକୁ ମାନସ ମାଡକାମୀଙ୍କ ସମାଲୋଚନା
ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ବିଜେଡି ସଭାପତି, ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ମାନସ ମାଡକାମୀ ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଥିଲେ।
ସେ କହିଥିଲେ ଯେ ବିଜେଡି ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାରଙ୍କ ସମୟରେ ଓଡ଼ିଶା ଦ୍ରୁତ ବିକାଶ ଦିଗରେ ଆଗେଇ ଏକ ମଡେଲ ରାଜ୍ୟ ଭାବେ ପରିଚିତ ହୋଇଥିଲା। ମାତ୍ର ବର୍ତ୍ତମାନର ଡବଲ ଇଞ୍ଜିନ ବିଜେପି ସରକାରଙ୍କ ଶାସନରେ ରାଜ୍ୟର ଛବି ମଳିନ ହୋଇଥିବା ସେ ଅଭିଯୋଗ କରିଥିଲେ।
ବିଜେପି ସରକାରଙ୍କ ବିଫଳତା ଓ ଜନସାଧାରଣଙ୍କ ସମସ୍ୟାକୁ ଘରେ ଘରେ ପହଞ୍ଚାଇବା ସହ ଲୋକଙ୍କୁ ସଚେତନ କରିବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ।
ଜଙ୍ଗଲ ଓ ଖଣି ସମ୍ପଦ ପ୍ରସଙ୍ଗରେ ବିଜେପିକୁ ଘେରିଲା ବିଜେଡି
ସମାବେଶରେ ବିଜେପି ସରକାରଙ୍କ ଅମଳରେ ଜଙ୍ଗଲ ଓ ଖଣିଜ ସମ୍ପଦ ଲୁଟ୍ ହେଉଥିବା ଅଭିଯୋଗ ଉଠାଇ ବିଜେଡି ନେତାମାନେ ତୀବ୍ର ନିନ୍ଦା କରିଥିଲେ। ନିଜକୁ ଲୋକଙ୍କ ସରକାର ବୋଲି କହୁଥିବା ବିଜେପି ସରକାର ରାଜ୍ୟରେ କ’ଣ କରିଛି, ତାହା ଲୋକେ ବୁଝିସାରିଲେଣି ବୋଲି ଦଳୀୟ ନେତାମାନେ ମତ ପ୍ରକାଶ କରିଥିଲେ।
ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ମାଥିଲି ବ୍ଲକ ବିଜେଡି ସଭାପତି ସଦାଶିବ ପୂଜାରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।
ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତି
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସମାରି ଟାଙ୍ଗୁଲ, ଜିଲ୍ଲା ପରିଷଦ ସଭ୍ୟା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଲକ୍ଷ୍ମୀପ୍ରିୟା ନାୟକ, ସଂଖ୍ୟାଲଘୁ ସେଲ୍ର ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା, ଜିଲ୍ଲା ଯୁବ ସଭାପତି ଶ୍ରୀନିବାସ ମୁଦୁଲି, ଜିଲ୍ଲା ଉପସଭାପତି ଉଦୟନାଥ ମାଦ୍ରୀ, ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା ମେକା ସରପଞ୍ଚ ରଞ୍ଜିତା ପୂଜାରୀ, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ପ୍ରଶାନ୍ତିଲତା ବିଶୋଇ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ, ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ, ବରିଷ୍ଠ ଯୁବନେତା ରାଜ ନାୟକ ଓ ଜିଲ୍ଲା ସମ୍ପାଦକ ସଦାନନ୍ଦ ଖରା ପ୍ରମୁଖ ଯୋଗଦେଇଥିଲେ।
ଏଥିସହ ମାଥିଲି ବ୍ଲକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ମଞ୍ଜୁ ଗୌଡ଼ଙ୍କ ସମେତ ବହୁ ବରିଷ୍ଠ ଦଳୀୟ ନେତା, ସରପଞ୍ଚ, ସମିତି ସଭ୍ୟ ଓ ଶତାଧିକ ଜନସାଧାରଣ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।
