*ବଡ଼ସାହି ବ୍ଲକରେ ବିକାଶର ବିଡମ୍ବନା! ଆମ୍ବଡାଳି ଇଟାଭାଟୀରୁ ଖୁଣ୍ଟା ରାସ୍ତା ଯେମିତି ମରଣ ଯନ୍ତା, ୪୫ ପରିବାର ଅସହାୟ*
*ବଡ଼ସାହି (ଭଞ୍ଜଦୂତ ନ୍ୟୁଜ୍):* ସରକାର ଡିଜିଟାଲ ଇଣ୍ଡିଆ, ସ୍ମାର୍ଟ ଭିଲେଜ କଥା କହୁଛନ୍ତି, ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ବିରେଶ୍ଵର ପୁର ପଞ୍ଚାୟତର ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଏଠାରେ ଏବେ ବି ଲୋକେ ଭଲ ରାସ୍ତା ଖଣ୍ଡେ ପାଇଁ ଆକୁଳ ନିବେଦନ କରୁଛନ୍ତି।
*କେଉଁ ରାସ୍ତା?*
ଆମ୍ବଡାଳି ଇଟାଭାଟୀ ଠାରୁ ଖୁଣ୍ଟା ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା, ଯେଉଁ ରାସ୍ତାଟି ଆମ୍ବଡାଳି ରାଜସ୍ଵ ଗ୍ରାମର ଦୁର୍ଗାପୁର ଗାଁ ଦେଇ ଯାଇଛି। ଏହି ରାସ୍ତା ହିଁ ଦୁର୍ଗାପୁର ଗାଁର ଲାଇଫ ଲାଇନ।
*ଗ୍ରାଉଣ୍ଡ ଜିରୋରେ ଭଞ୍ଜଦୂତ:*
ଆମ ଟିମ୍ ଗତ ୨୭-୦୯-୨୦୨୬ ତାରିଖରେ (GPS Location: 21.759967, 86.685134 – Ambadali, Durgapur) ସିଧା ଗ୍ରାଉଣ୍ଡ ଜିରୋକୁ ଯାଇଥିଲା। ଦୃଶ୍ୟ ଦେଖି ଆମେ ସ୍ତବ୍ଧ ହୋଇଗଲୁ। ରାସ୍ତା ନାହିଁ, ପୁରା କାଦୁଅ ପୋଖରୀ। ବଡ ବଡ ଗାତରେ ହଳଦିଆ ପାଣି ଜମି ରହିଛି। ଆମ ଆଖି ସାମ୍ନାରେ ଜଣେ ଯୁବକ ସାଇକେଲରେ ଯିବାକୁ ଚେଷ୍ଟା କରୁଥିବା ବେଳେ ସନ୍ତୁଳନ ହରାଇ ପଡିଯିବାକୁ ବସିଥିଲେ। ସାଇକେଲ ଅଧା କାଦୁଅରେ ପଶି ଯାଉଛି।
*୪୫ ପରିବାରର ଦୁଃଖ:*
ସବୁଠାରୁ ଦୁଃଖ ଓ ପରିତାପର ବିଷୟ ହେଲା, ଦୁର୍ଗାପୁର ଗ୍ରାମର ପ୍ରାୟ ୪୦ ରୁ ୪୫ ଟି ପରିବାର ସମ୍ପୂର୍ଣ୍ଣ ଭାବରେ ଏହି ରାସ୍ତା ଉପରେ ନିର୍ଭର କରନ୍ତି।
> “ପିଲାମାନେ ସ୍କୁଲ ଯାଇ ପାରୁନାହାନ୍ତି, ବର୍ଷା ହେଲେ ଚପଲ ହାତରେ ଧରି ଯିବାକୁ ପଡୁଛି। କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ତ ଦୂରର କଥା, ବାଇକ ବି ଆସିପାରୁନି। ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି,” ବୋଲି କୋହ ଭରା କଣ୍ଠରେ କହିଛନ୍ତି ଗ୍ରାମବାସୀ।
ଜଣେ ବାଇକ ଚାଳକ କହିଛନ୍ତି – “ଏଠି ଗାଡି ଚଲାଇବା ମାନେ ଜୀବନକୁ ବାଜି ଲଗାଇବା। କେତେବେଳେ ଖସି ପଡିବୁ ଜଣା ନାହିଁ।”
*ପ୍ରଶାସନ ନିଦ୍ରାରେ?*
ଗ୍ରାମବାସୀଙ୍କ ଅଭିଯୋଗ, ବହୁବାର ସରପଞ୍ଚ, ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଜଣାଇଲେ ମଧ୍ୟ କେହି ଶୁଣୁନାହାନ୍ତି। କେବଳ ପ୍ରତିଶ୍ରୁତି ମିଳୁଛି, କାମ ହେଉନାହିଁ।
ଭଞ୍ଜଦୂତ ନ୍ୟୁଜ୍ ମାଧ୍ୟମରେ ଦୁର୍ଗାପୁର ଗ୍ରାମବାସୀ ଜିଲ୍ଲାପାଳ ଓ ବଡ଼ସାହି ବିଡିଓଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ଯେ, ତୁରନ୍ତ ଏହି ରାସ୍ତାକୁ ମରାମତି କରି ପକ୍କା ରାସ୍ତା କରାଯାଉ।
*ଏ ହେଉଛି ବିକାଶର ବାସ୍ତବ ଚିତ୍ର। ପ୍ରଶାସନ କେବେ ଶୁଣିବ ଏହି ୪୫ ପରିବାରର କରୁଣ ଚିତ୍କାର?*
ମୟୂରଭଞ୍ଜରୁ ଶୁଭାଶିଷ ଚୌଧୂରୀଙ୍କ ସହ ମୋନାଲି ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
