ସେଣ୍ଟ ଆନ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ‘ସିଜନ୍ ଅଫ୍ କ୍ରିଏସନ୍’ ପାଳିତ।
ଭଞ୍ଜନଗର-୨୯/୦୯(ପ୍ରଫୁଲ୍ଲ କୁମାର ମହାରଣା ) ଭଞ୍ଜନଗର ଉପଖଣ୍ଡ ସ୍ଥାନୀୟ ବଡ଼କୋଦଣ୍ଡାସ୍ଥିତ ସେଣ୍ଟ ଆନ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ‘ସିଜନ୍ ଅଫ କ୍ରିଏସନ୍’(ସୃଷ୍ଟିର ଋତୁ) ମହାସମାରୋହ ରେ ପାଳିତ ହୋଇଯାଇଛି।
ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଥିଲା “ଜଳ ସଂରକ୍ଷଣ କରନ୍ତୁ ଏବଂପରିବେଶ ବଞ୍ଚାନ୍ତୁ” (Save the Water and Save the Environment) ।
ଏହି ଉତ୍ସବରେ ଅବସରପ୍ରାପ୍ତ ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଓ ପରିବେଶ ପ୍ରେମୀ ଏଵଂ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଶୂଳପାଣି ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ବକ୍ତବ୍ୟରେ ଶ୍ରୀଯୁକ୍ତ ଶତପଥୀ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଥିବା ନିଜର ଦୀର୍ଘ ଅନୁଭୂତି ବର୍ଣ୍ଣନା କରିବା ସହ “ଜଳ ହିଁ ଜୀବନ” ବୋଲି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ। ଜଳର ଅପଚୟ ରୋକିବା, ବର୍ଷା ଜଳ ଅମଳ କରିବା ଏବଂ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ହିଁ ପ୍ରକୃତିର ସନ୍ତୁଳନ ବଜାୟ ରହିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଭକ୍ତିପୂର୍ଣ୍ଣ ପ୍ରକୃତି ପ୍ରାର୍ଥନା ସଭାରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ପରିବେଶ ସଚେତନତା ଧର୍ମୀ ନୃତ୍ୟ, ପଦ୍ୟ ଆବୃତ୍ତି, ନାଟକ ଓ ଏକ ସଚେତନତା ପଦଯାତ୍ରା ପ୍ରଦର୍ଶନ କରିବା ସହ ଜଳ ସଂରକ୍ଷଣ ଉପରେ ଚିତ୍ରାଙ୍କନ, ପୋଷ୍ଟର ଏବଂ ବିଜ୍ଞାନ ପ୍ରକଳ୍ପ ସବୁ ପ୍ରଦର୍ଶିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୁଖ୍ୟ ପରିଚାଳିକା ସିଷ୍ଟର ଫାତିମା ପାୱାନି, ପ୍ରଧାନ ଅଧ୍ୟକ୍ଷା ସିଷ୍ଟର ସୌଭାଗ୍ୟମ୍, ସିଷ୍ଟର କୃପା, ସିଷ୍ଟର ବିଜୟଲକ୍ଷ୍ମୀ, ସିଷ୍ଟର ଦୋରେଥିଆଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ପରିଶେଷରେ ଉପସ୍ଥିତ ସମସ୍ତେ ପ୍ରକୃତି ତଥା ଜଳ ସମ୍ପଦର ସୁରକ୍ଷା ପାଇଁ ସାମୂହିକ ଶପଥ ପାଠ କରିଥିଲେ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମଟି ସାଙ୍ଗ ହୋଇଥିଲା।
