ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି
ବ୍ରହ୍ମପୁର, ତା. ୨୮/୦୯ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ସୋରଡ଼ା ସନ୍ନିକଟ ହୁକୁମା ଗ୍ରାମଠାରେ ଏକ ସୌଜନ୍ୟ ସାକ୍ଷାତ କାର୍ଯ୍ୟକ୍ରମ କରାଯାଇଥିଲା। ଗୋଟିଏ ଚାରି ପିଢ଼ିର କଳାକାର ପରିବାରର ବର୍ଷିୟାନ କଳାକାର ତଥା କର୍କଟ ପୀଡିତ ଶିବରାମ ପ୍ରଧାନଙ୍କୁ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ମହାସଚିବ ସୁବାସ ଚନ୍ଦ୍ର ସାହୁ, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ସୁନାମଧନ୍ୟ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଷୋୟୀ ପ୍ରମୁଖ ସୌଜନ୍ୟ ସାକ୍ଷାତ ସହିତ ଭଲ ମନ୍ଦ ପଚାରି ବୁଝିଥିଲେ। ପୀଡିତ ଶିବରାମ ବାବୁ ନିଜର ଖୁସି ବ୍ୟକ୍ତ କରିବା ସହିତ ମହାସଂଘର ସବୁ କଳାକାର ଏକ ପରିବାର ଭାଵଧାରାର ଭୁୟସୀ ପ୍ରଶଂସା କରିବା ସହିତ ସିଦ୍ଧେଶ୍ଵର ଗଣନାଟ୍ୟ ଦଳରେ ନିଜେ ଅଭିନୟ କରିଥିବା ନାଟକ ସଂଳାପ ସ୍ମୃତି ପଟଳରୁ ଆବୃତ୍ତି କରିଥିଲେ। ଏହି ଅବସରରେ ପୀଡିତଙ୍କ ଦୁଇ କଳାକାର ପୁତ୍ରସଞ୍ଜୟ ଓ ଶୁକ୍ରୁ, ଜାମାତା କୃଷ୍ଣ ବେହେରା, ଚିନ୍ତାମଣି ପ୍ରଧାନ ଓ କିଛି କଳାକାର ସେଠାରେ ଉପସ୍ଥିତ ଥିଲେ।
ସେହିଭଳି କନ୍ଧମାଳ ଜିଲ୍ଲା ବାରବା ଗ୍ରାମର ଜନୈକ କଳାକାର ଜୁରିଆ ନାୟକଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ମହାସଂଘ ତରଫରୁ ଉକ୍ତ ଗ୍ରାମସ୍ଥ “କଳାକାର ଗୃହ”
ସମ୍ମୁଖରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ମହାସଂଘ ସଭାପତି ଡ଼ା. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, କୈଳାସ ନାୟକ, ପ୍ରଭାତ ପାଣିଗ୍ରାହୀ, ରବି ନାୟକ, ପାଣ ଗୌଡ଼, ରବି ଗୌଡ଼, ବିପ୍ର ପାତ୍ର, ବୁଲୁ ସାହୁ, ସୀତାରାମ ନାୟକ, ରମେଶ ଚନ୍ଦ୍ର ସ୍ୱାଇଁ, ସଞ୍ଜୟ ବିଷୋୟୀ, ଦୀପକ କୁମାର ପ୍ରଧାନ ପ୍ରମୁଖ ଦିବଂଗତ କଳାକାରଙ୍କ ସ୍ମୃତି ଚାରଣ କରିଥିଲେ। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା କ୍ରମରେ ଦିବଂଗତ କଳାକାରଙ୍କ କଳାକାର ଜୀବନୀ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ। ସର୍ବ ପ୍ରଥମେ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
