*ଅଗ୍ନିପଥ ଯୋଜନା ଅଧୀନରେ ଆର୍ମି ରିକ୍ରୁଟିଂ ଅଫିସ୍ (ARO), ସମ୍ବଲପୁର ପକ୍ଷରୁ ସେନା ନିଯୁକ୍ତି ରାଲି ଆସନ୍ତା ୧୩ ଅକ୍ଟୋବରରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଝାରସୁଗୁଡ଼ାର ମାଳିମୁଣ୍ଡାସ୍ଥିତ କ୍ରିକେଟ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ।*
ଅଗ୍ନିବୀର ଜିଡି (General Duty), ଅଗ୍ନିବୀର ଟେକ୍ନିକାଲ୍, ଅଗ୍ନିବୀର ଟ୍ରେଡ୍ସମ୍ୟାନ୍ (ଅଷ୍ଟମ ଶ୍ରେଣୀ) ଏବଂ ଅଗ୍ନିବୀର ଟ୍ରେଡ୍ସମ୍ୟାନ୍ (ଦଶମ ଶ୍ରେଣୀ) ପଦବୀ ପାଇଁ ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ (CEE)ରେ ସଫଳତାର ସହ ସର୍ଟଲିଷ୍ଟ ହୋଇଥିବା ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରାର୍ଥୀମାନେ ଏହି ନିଯୁକ୍ତି ରାଲିରେ ଅଂଶଗ୍ରହଣ କରିବେ।
ଅନଲାଇନ୍ CEE ପରୀକ୍ଷାରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ରାଲି ସମୟରେ ଶାରୀରିକ ଦକ୍ଷତା ପରୀକ୍ଷା (Physical Fitness Test) ଓ ଡାକ୍ତରୀ ପରୀକ୍ଷା (Medical Examination) ପାଇଁ ଡକାଯାଇଛି। ସର୍ଟଲିଷ୍ଟ ପ୍ରାର୍ଥୀମାନଙ୍କ ନିବନ୍ଧିତ ଇ-ମେଲ୍ ଆଇଡିକୁ ଆଡମିଟ୍ କାର୍ଡ ପୂର୍ବରୁ ପଠାଯାଇଛି। ପ୍ରାର୍ଥୀମାନେ Join Indian Armyର ଅଧିକୃତ ୱେବସାଇଟ୍ www.joinindianarmy.nic.inରେ ନିଜ ପ୍ରୋଫାଇଲ୍କୁ ଲଗ୍ଇନ୍ କରି ନିଯୁକ୍ତି ରାଲିର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
କୌଣସି ସୂଚନା କିମ୍ବା ଜିଜ୍ଞାସା ପାଇଁ ପ୍ରାର୍ଥୀମାନେ ARO ସମ୍ବଲପୁର ସହ ୦୬୬୩-୨୯୫୦୩୫୯ ଏବଂ ୦୬୬୩-୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ।
ନିଯୁକ୍ତି ପ୍ରକ୍ରିୟା ସମୟରେ କୌଣସି ବ୍ୟକ୍ତିଙ୍କୁ ନିଜର ମୂଳ ଦସ୍ତାବିଜ ହସ୍ତାନ୍ତର ନ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। ଦଲାଲ/ଏଜେଣ୍ଟଙ୍କ ପ୍ରଲୋଭନରେ ପଡ଼ିବା ଏବଂ ଠକେଇର ଶିକାର ହେବାରୁ ଦୂରେଇ ରହିବାକୁ ସେମାନଙ୍କୁ ସତର୍କ କରାଯାଇଛି। ଏଭଳି କୌଣସି ଘଟଣା ଘଟିଲେ ତୁରନ୍ତ ସ୍ଥାନୀୟ ପୁଲିସ ଏବଂ ସମ୍ପୃକ୍ତ ଆର୍ମି ରିକ୍ରୁଟିଂ ଅଫିସ୍, ସମ୍ବଲପୁରର ନିଯୁକ୍ତି କର୍ମଚାରୀଙ୍କୁ ଜଣାଇବାକୁ କୁହାଯାଇଛି।
ଦଲାଲ/ଏଜେଣ୍ଟ ଏବଂ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତାକୁ ରୋକିବା ପାଇଁ ସ୍ଥାନୀୟ ପୁଲିସ ଓ ସିଭିଲ୍ ପ୍ରଶାସନର ସହଯୋଗରେ ନିଯୁକ୍ତି ରାଲି ସମୟରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।
