ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଦୁଇ ଭଉଣୀ
୮ ଓ ୬ ବର୍ଷର ଦୁଇ ନାବାଳିକାଙ୍କ ଅକାଳ ବିୟୋଗ, ପରିବାରରେ ଶୋକର ଛାୟା
ସିନାପାଲି, ୭/୯ (ଭଞ୍ଜଦୂତ): ଧର୍ମେନ୍ଦ୍ର କୁମାର ଗହିର।
ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଧୀନ ଝାରବନ୍ଧ ପଞ୍ଚାୟତର ତିଲେଇମାଲ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗାଁର ଦର୍ଲିବନ୍ଧ ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଗ୍ରାମର ନୀଳକଣ୍ଠ ହଂସଙ୍କ ଝିଅ ଯଶୋଦା ହଂସ (୮) ଓ ଗୁପ୍ତେଶ୍ୱରୀ ହଂସ (୬)।
ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଦୁଇ ଭଉଣୀ ଗାଧୋଇବା ପାଇଁ ଗାଁ ନିକଟସ୍ଥ ଦର୍ଲିବନ୍ଧ ପୋଖରୀକୁ ଯାଇଥିଲେ। ଦୀର୍ଘ ସମୟ ପରେ ମଧ୍ୟ ଦୁହେଁ ଘରକୁ ଫେରି ନଥିବାରୁ ବାପା ନୀଳକଣ୍ଠ ସେମାନଙ୍କୁ ଖୋଜିବା ପାଇଁ ପୋଖରୀ ନିକଟକୁ ଯାଇଥିଲେ।
ପୋଖରୀ ହୁଡ଼ାରେ ଏକ ବାଲଟିରେ ଝିଅମାନଙ୍କ କପଡ଼ା ଥିବା ଦେଖି ସେ ସନ୍ଦେହ କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଖରୀରେ ଖୋଜାଖୋଜି କରାଯାଇଥିଲା। ଏହି ସମୟରେ ପାଣି ଭିତରୁ ଦୁଇ ଭଉଣୀଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ସେମାନଙ୍କର ମୃତ୍ୟୁ ଘଟିସାରିଥିଲା।
ଘଟଣା ସମ୍ପର୍କରେ ଖବର ପାଇ ସିନାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ନାବାଳିକାଙ୍କ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଉକ୍ତ ପୋଖରୀର ଉନ୍ନତୀକରଣ ସମୟରେ ପାହାଚ ନିର୍ମାଣ କରାଯିବା ସହ ପୋଖରୀକୁ ଗଭୀର ଭାବେ ଖନନ କରାଯାଇଥିଲା। ପାହାଚ ନିକଟରେ ଗାଧୋଇବା ସମୟରେ ଦୁଇ ଭଉଣୀ ଗଭୀର ପାଣିକୁ ଚାଲିଯାଇ ବୁଡ଼ିଯାଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।ଦୁଇ ନାବାଳିକା ଝିଅଙ୍କ ଅକାଳ ବିୟୋଗରେ ହଂସ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସମଗ୍ର ତିଲେଇମାଲ ଗ୍ରାମରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
