ସଡ଼କ ଦୁର୍ଘଟଣାରେ ଚତୁର୍ଭୁଜ ନାୟକ ଙ୍କ ପରଲୋକ l ରଘୁନାଥପୁର(ନି.ପ୍ର): ରଘୁନାଥପୁର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ବର୍ତ୍ତି ହମ୍ପସ ନିକଟରେ ଏକ ସଡକ ଦୁର୍ଘଟଣାରେ ରଘୁନାଥପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ସିଦ୍ଧେଶ୍ବରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରର ସିଆରସିସି ଚତୁର୍ଭୁଜ ନାୟକ ଙ୍କ ଅକାଳ ବିୟୋଗ ଘଟିଛି। ସିଆରସିସି ନାୟକ ଓ ତାଙ୍କ ଭିଣୋଇ ସୁଶାନ୍ତ କୁମାର ନାୟକ ଭୁବନେଶ୍ୱର ସ୍ଥିତ ତାଙ୍କ ପୁଅ ପଢୁଥିବା କଲେଜକୁ ଦେଖା କରିବାକୁ ଯାଇଥିଲେ। ସେଠାରୁ ତାଙ୍କ ଘର ନାଲିବରକୁ ଏକ ବାଇକ ଯୋଗେ ଫେରୁଥିବା ବେଳେ ବର୍ତ୍ତୀ ହମ୍ପସ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ତେଲ ବୋଝଇ ଟ୍ୟାଙ୍କରରେ ସାମାନ୍ୟ ଦୁର୍ଘଟଣା ହୋଇଥିଲା ।ଫଳରେ ଭାରସାମ୍ୟ ହରାଇ ସିଆରସିସି ନାୟକ ତଳେ ପଡି ଯିବାରୁ ମୁଣ୍ଡ ଫାଟିଯାଇ ରକ୍ତ ଜୁଡୁବୁଡୁ ହୋଇ ଯାଇଥଲେ । କିନ୍ତୁ ଗାଡ଼ି ଚାଳକ ତଥା ତାଙ୍କ ଭିଣୋଇ ସୁଶାନ୍ତ ସମ୍ପୂର୍ଣ ସୁରକ୍ଷିତ ଥିଲେ। ଖବରପାଇ ରଘୁନାଥପୁର ପୋଲିସ, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ଥ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଚତୁର୍ଭୁଜ ଙ୍କୁ ମୃତ ଘୋଷଣା କରିଥିଲେ। ରଘୁନାଥପୁର ପୋଲିସ ଟ୍ୟାଙ୍କରକୁ ଜବତ କରିବା ସହ ମୃତଦେହକୁ ନିଜ ଅକ୍ତିଆରକୁ ଆଣିଥିଲା। ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ଡ଼ାକ୍ତରଖାନାକୁ ପଠାଯାଇଥିଲା l
