ସିନାପାଲି ପିଏମ୍ଶ୍ରୀ ବିଦ୍ୟାଳୟରେ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା
କବାଡି, ଖୋଖୋ, ଫୁଟବଲ, ଭଲିବଲ ସହ ବିଭିନ୍ନ କ୍ରୀଡ଼ାରେ ପ୍ରତିଭା ଚୟନ
ସିନାପାଲି, ୦୩/୦୯ (ଭଞ୍ଜଦୂତ) ଧର୍ମେନ୍ଦ୍ର କୁମାର ଗହିର:
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକାୟିତ କ୍ରୀଡ଼ା ପ୍ରତିଭାର ଚୟନ ଓ ବିକାଶ ପାଇଁ ସରକାରଙ୍କ ପ୍ରୋତ୍ସାହନ କ୍ରମେ ନୂଆପଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଚାରିଟି ଲେଖାଏଁ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି କ୍ରମରେ ସିନାପାଲି ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କୁ ନେଇ ଜୋନ୍-୩ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ମେହେର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଶାରୀରିକ ଜିଲ୍ଲା ଶିକ୍ଷା ନିରୀକ୍ଷକ ରତନ ସିଂ ବାରିକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିନାପାଲି ସରପଞ୍ଚ ସୁନୀତା ମେହେର, ବ୍ଲକ କ୍ରୀଡ଼ା ସମ୍ପାଦକ ସନ୍ତୋଷ ମେହେର, ଏସ୍ଏମ୍ସି ସଭାପତି ନରେଶ ମାଝୀ ଏବଂ ମହୁଲପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନିଲ କୁମାର ସା ପ୍ରମୁଖ ମଞ୍ଚାସୀନ ଥିଲେ।
ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗରେ କବାଡି, ଖୋଖୋ, ଫୁଟବଲ, ଭଲିବଲ, ବ୍ୟାଡମିଣ୍ଟନ ଓ ଚେସ୍ ଆୟୋଜିତ ହୋଇଥିବା ବେଳେ ବାଳିକାମାନଙ୍କ ପାଇଁ ଯୋଗ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ବିଭିନ୍ନ ବିଭାଗରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଭାବାନ ଖେଳାଳିମାନଙ୍କୁ ଚୟନ କରାଯାଇଥିଲା।ସଭା ପ୍ରାରମ୍ଭରେ ଶିକ୍ଷକ ମହେଶ କୁମାର ମେହେର ଅତିଥି ଆମନ୍ତ୍ରଣ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ପ୍ରତୀସ୍ୱରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା କ୍ରୀଡ଼ା ଶିକ୍ଷକ, ଚୟନକର୍ତ୍ତା, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ପ୍ରତିଯୋଗିତା ସଫଳତାର ସହ ଶେଷ ହୋଇଥିଲା।
ଶେଷରେ ଶିକ୍ଷୟିତ୍ରୀ ସୁକେଶିନୀ ବାଗ କୃତଜ୍ଞତା ଜ୍ଞାପନ କରିବା ସହ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।
