**ନୂଆପଡ଼ାରେ ‘ମାଇ ଭାରତ’ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ*ଯୁବପିଢ଼ିଙ୍କୁ ଦେଶର ସମ୍ପଦ ଭାବେ ଗଢ଼ିତୋଳିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ**
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୧/୦୯:
ନୂଆପଡ଼ାରେ ‘ମାଇ ଭାରତ’ (MY Bharat) ଜିଲ୍ଲା ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲ୍ଲା ଯୁବ ଅଧିକାରୀ ଅଙ୍କିତ କୁମାର ଶର୍ମା ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ବୈଠକରେ ଏପ୍ରିଲ୍ରୁ ଜୁଲାଇ ୨୦୨୬ ମଧ୍ୟରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା, ୨୦୨୬-୨୭ ବାର୍ଷିକ କାର୍ଯ୍ୟ ଯୋଜନା ଏବଂ ବିଭିନ୍ନ ବିଭାଗ ସହ ସମନ୍ୱୟ ନେଇ ଆଲୋଚନା କରାଯାଇଥିଲା।
ଯୁବପିଢ଼ିଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେଇ ଦେଶର ସମ୍ପଦ ଭାବେ ଗଢ଼ିତୋଳିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ‘ମାଇ ଭାରତ’ରେ ଅଧିକରୁ ଅଧିକ ଯୁବକ-ଯୁବତୀଙ୍କ ପଞ୍ଜୀକରଣକୁ ଉତ୍ସାହିତ କରିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ବ୍ୟାପକ ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲାର ପ୍ରମୁଖ ସାମାଜିକ ସମସ୍ୟାଗୁଡ଼ିକୁ ନେଇ ପ୍ରତି ମାସରେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବାଲ୍ୟବିବାହ, ପ୍ରବାସ ଶ୍ରମିକ ଆଦି ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ କହିଥିଲେ। ଏଥିସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଯୁବବର୍ଗଙ୍କୁ ଅବଗତ କରାଇବାରେ ‘ମାଇ ଭାରତ’ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭୂମିକା ନେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।’ବିକଶିତ ଭାରତ @ ୨୦୪୭’ର ଲକ୍ଷ୍ୟ ପୂରଣରେ ଯୁବଶକ୍ତିର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରି ନୂଆପଡ଼ାକୁ ‘ମାଇ ଭାରତ’ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନରେ ଏକ ଅଗ୍ରଣୀ ତଥା ମଡେଲ୍ ଜିଲ୍ଲା ଭାବେ ଗଢ଼ିତୋଳିବାକୁ ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ।
ବୈଠକରେ ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼ାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରେମଲତା ସେଠୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।
