*ଅମର୍ଦ୍ଦା ରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ନିଶାମୁକ୍ତ ଅଭିଯାନ*
ବସ୍ତା:- (ନି.ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟ ପରିସରରେ ବସ୍ତା ପୋଲିସ ପକ୍ଷରୁ ‘ଓଡ଼ିଶା ନିଶାମୁକ୍ତ ଅଭିଯାନ’ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନିଶା ସେବନ ଦ୍ୱାରା ବ୍ୟକ୍ତି, ପରିବାର ଓ ସମାଜ ଉପରେ ପଡୁଥିବା ବିଭିନ୍ନ କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ଯୁବପିଢ଼ି ନିଶାଠାରୁ ଦୂରେଇ ରହି ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସହ ସମାଜରେ ନିଶା ବିରୋଧୀ ବାର୍ତ୍ତା ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା। ବସ୍ତା ପୋଲିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର ପ୍ରଲୋଭନରୁ ଦୂରେଇ ରହିବା ସହ ନିଶା ସମ୍ପର୍କିତ କୌଣସି ଅସାମାଜିକ କାର୍ଯ୍ୟ ଦୃଷ୍ଟିକୁ ଆସିଲେ ଆଇନଶୃଙ୍ଖଳା ରକ୍ଷାକାରୀ ସଂସ୍ଥାକୁ ଜଣାଇବାକୁ କୁହାଯାଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହ ପୋଲିସ କର୍ମଚାରୀମାନେ ଯୋଗଦେଇ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ମିଳିତ ଭାବେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଯୁବପିଢ଼ି ହେଉଛି ଦେଶର ଭବିଷ୍ୟତ। ତେଣୁ ଯୁବସମାଜ ନିଶାଠାରୁ ଦୂରେଇ ରହି ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଦ୍ୱାରା ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ସମ୍ଭବ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତଙ୍କୁ ନିଶା ବିରୋଧରେ ସଚେତନ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା।
