ଯାଜପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ଓ ସହାୟତା କାର୍ଯ୍ୟ ଜାରି ରହିଛି
********************
ଯାଜପୁର, ତା ୦୫.୦୮.୨୦୨୬ ରିଖ:(ଭଞ୍ଜଦୂତ ଖବର :ସରୋଜ କୁମାର ଧଳ )
ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୁଧୁରିଥିବାବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲା ଜରୁରୀ କାଳୀନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ୮ଟି ବ୍ଲକ୍ – ଯାଜପୁର, କୋରେଇ, ଦଶରଥପୁର, ବିଞ୍ଝାରପୁର, ବାରୀ, ରସୁଲପୁର, ଧର୍ମଶାଳା ଓ ବଡ଼ଚଣା ଏବଂ ଯାଜପୁର ପୌରାଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ମୋଟ ୧୧୭ଟି ଗ୍ରାମ ପଞ୍ଚାୟତର ୪୦୩ଟି ଗାଁ ଏବଂ ୧ଟି ପୌରାଞ୍ଚଳର ମୋଟ ୩,୯୭,୬୭୮ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିବା ସହ ବନ୍ୟା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବରୁ ୨୦୯ଟି କେନ୍ଦ୍ର ମାଧ୍ୟମରେ ୭୯,୭୯୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଭାବିତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୋଟ ୨୦୫ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର (Free Kitchens) ଖୋଲାଯାଇଥିବା ବେଳେ ଆଜି ଦଶରଥପୁର ବ୍ଲକର ୨ଟି ପଞ୍ଚାୟତରେ ୫ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଆଜି ସୁଦ୍ଧା ମୋଟ ୪,୫୫,୩୮୨ ଜଣ (୩,୮୯,୦୨୯ ବୟସ୍କ ଓ ୮୬,୩୫୩ ଶିଶୁ) ହିତାଧିକାରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏହାସହ ୧୩୦୨.୫୩ କ୍ୱିଣ୍ଟାଲ୍ ଛୁଡ଼ା, ୧୮୧.୩୪ କ୍ୱିଣ୍ଟାଲ୍ ଗୁଡ଼/ଚିନି, ୧୬୮୪ଟି ପଲିଥିନ୍ ରୋଲ୍ ସହିତ ବିସ୍କୁଟ୍, ମୁଢ଼ି, ଦିଆସିଲି ଓ ମୋମବାତି ଆଦି ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।
ଏହି ବନ୍ୟା ଯୋଗୁଁ କୃଷି, ପ୍ରାଣୀସମ୍ପଦ ଓ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଛି। ପ୍ରାୟ ୨୮,୧୪୬ ହେକ୍ଟର ଚାଷଜମି ବନ୍ୟା ଜଳରେ ବୁଡି ରହିଥିବା ବେଳେ କ୍ଷୟକ୍ଷତିର ଆକଳନ ଜାରି ରହିଛି। ଜିଲ୍ଲାରେ ୧,୨୨,୩୯୭ଟି ବଡ଼ ଗୋରୁଗାଈ, ୫୯,୮୮୨ଟି ଛୋଟ ଜୀବଜନ୍ତୁ ଓ ୬୮,୯୪୪ଟି କୁକୁଡ଼ା ପ୍ରଭାବିତ ହୋଇଛନ୍ତି ଏବଂ ୭ଟି ପ୍ରାଣୀସମ୍ପଦ ଓ ୧୦୦୦ଟି କୁକୁଡ଼ାଙ୍କର ମୃତ୍ୟୁ ଘଟିଛି। ଗମନାଗମନ କ୍ଷେତ୍ରରେ ୩୫ଟି ରାସ୍ତା ବିଚ୍ଛିନ୍ନ ହୋଇଛି, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୬୧ଟି ରାସ୍ତା ଓ ୩ଟି ପୋଲ ଏବଂ ପୂର୍ତ୍ତ ବିଭାଗ (PWD) ଅଧୀନରେ ୫୬ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏହାବାଦ୍ ୪୨ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଲାଇନ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜାରକା ଜଳସେଚନ ବିଭାଗ ଅଧୀନ ନଦୀବନ୍ଧରେ ୬ଟି ଘାଈ, ୨୦ଟି ସ୍ଥାନରେ ମାଟି ଧସିଯିବା ଏବଂ ୧୦ଟି ସ୍ଥାନରେ ଜଳ ଓଭରଟପିଂ ହେଉଥିବା ରିପୋର୍ଟ ହୋଇଛି।
ସମ୍ପୂର୍ଣ୍ଣ ବନ୍ୟା ସ୍ଥିତିକୁ ଜିଲ୍ଲା ପ୍ରଶାସନ ଅତି ଗାମ୍ଭୀର୍ଯ୍ୟର ସହ ନେଇଛନ୍ତି ଏବଂ ବରିଷ୍ଠ ଅଧିକାରୀମାନେ ପ୍ରତ୍ୟେକ ପ୍ରଭାବିତ ଅଞ୍ଚଳରେ ପରିସ୍ଥିତିର ସମୀକ୍ଷା ଓ ମନିଟରିଂ କରୁଛନ୍ତି। ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ୧୪ଟି ଚିକିତ୍ସା ଦଳ ଏବଂ ୮ଟି ପ୍ରାଣୀ ଚିକିତ୍ସା ଦଳ ନିୟୋଜିତ ଅଛନ୍ତି। ବନ୍ୟା ଜଳ କମିବା ମାତ୍ରେ କ୍ଷତିଗ୍ରସ୍ତ ରାସ୍ତା, ପୋଲ, ନଦୀବନ୍ଧ ଓ ବିଦ୍ୟୁତ୍ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
