# **ରାତିରେ ବାଲି ମାଫିଆଙ୍କ ରାଜ! ସରକାରୀ ରାଜସ୍ୱରେ କୋଟି କୋଟି ଟଙ୍କାର କ୍ଷତି, ସ୍ଥାନୀୟ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ**
**ତାଳଚେର:** ଅଞ୍ଚଳରେ ଅବୈଧ ବାଲି ଚାଲାଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଦିନ ଅପେକ୍ଷା ରାତିରେ ବାଲି ଉଠାଣ ଓ ପରିବହନ ଅଧିକ ମାତ୍ରାରେ ହେଉଛି। ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଅବୈଧ ଭାବେ ପରିବହନ ହେଉଥିବାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଅଭିଯୋଗ ହେଉଛି।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ରାତିସାରା ଭାରୀ ହାଇୱା ଓ ଟ୍ରକ୍ ଚଳାଚଳ ଯୋଗୁଁ ଲୋକଙ୍କ ନିଦ ହଜିଯାଉଛି। ତୀବ୍ର ଶବ୍ଦ, ଧୂଳି ପ୍ରଦୂଷଣ ଓ ବେପରୁଆ ଗାଡ଼ି ଚଳାଚଳ ଯୋଗୁଁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି। ଏହା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏତେ ବଡ଼ ଧରଣର ଅବୈଧ କାରବାର ଚାଲୁଥିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନର କାର୍ଯ୍ୟାନୁଷ୍ଠାନ କେଉଁଠି? ଏହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠୁଛି। କିଛି ଲୋକ ସ୍ଥାନୀୟ ପ୍ରଶାସନର ଭୂମିକାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରୁଥିବା ବେଳେ, ଏହି ଅଭିଯୋଗର ସ୍ୱାଧୀନ ଯାଞ୍ଚ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
ସ୍ଥାନୀୟ ଲୋକଙ୍କ ମତରେ, ଅବୈଧ ବାଲି କାରବାରକୁ ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡର ନିୟମିତ ଚଢ଼ାଉ ହିଁ ଏବେ ଏକମାତ୍ର ଭରସା। ଏହା ସହ ସମଗ୍ର ଘଟଣାର ଭିଜିଲାନ୍ସ ତଦନ୍ତ କରାଯାଇ ଯଦି କୌଣସି ଅଧିକାରୀ କିମ୍ବା ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଏ, ତେବେ ନିରପେକ୍ଷ ଭାବେ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ଜୋର ଧରିଛି।
ଏବେ ପ୍ରଶ୍ନ ଉଠୁଛି—ଅବୈଧ ବାଲି କାରବାର ଉପରେ କେବେ ଲାଗିବ ଲଗାମ? ସରକାରୀ ରାଜସ୍ୱର କ୍ଷତିକୁ କେବେ ରୋକାଯିବ? ନା ଏଭଳି ଭାବେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଚାଲିଥିବ? ଏହାର ଉତ୍ତରକୁ ଏବେ ଅପେକ୍ଷା କରିଛନ୍ତି ସାଧାରଣ ଲୋକ।
