AIFF ଲେଭେଲ–୫ ସହକାରୀ ରେଫରି ପିଙ୍କିଙ୍କୁ ବରପାଲି ଆଥେଲେଟିକ ଆସୋସିଏସନ୍ ଦ୍ୱାରା ସମ୍ବର୍ଦ୍ଧନା
ବରଗଡ :ବରପାଲି:୨୬/୦୭(ନି ପ୍ର) ବରପାଲି ହାଇସ୍କୁଲ ଖେଳ ପଡ଼ିଆରେ ଆଥଲେଟିକ୍ ଆସୋସିଏସନ୍ର ସଭାପତି ଉପଗୁପ୍ତ ତ୍ରିପାଠୀଙ୍କ ସଭାପତିତ୍ୱ ରେ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଥିଲା AIFF ଲେଭେଲ–୫ ସହକାରୀ ରେଫରି ପିଙ୍କି ବରପାଲିଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା।
ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ପିଙ୍କିଙ୍କ କ୍ରୀଡ଼ା ଜୀବନ, ସଂଘର୍ଷ ଓ ସଫଳତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ପିଇଟି ମନୋଜ ସାହୁ ହାଇସ୍କୁଲ ଖେଳ ପଡ଼ିଆରେ ଖେଳୁଥିବା ସମୟର ସ୍ମୃତିଚାରଣ କରି ନିଜର ଅନୁଭୂତି ବଖାଣିଥିଲେ। ସେ କହିଥିଲେ ଯେ, ଏହି ଖେଳ ପଡ଼ିଆରୁ ଅନେକ ପ୍ରତିଭାବାନ କ୍ରୀଡ଼ାବିତ୍ ସୃଷ୍ଟି ହୋଇଛନ୍ତି ଏବଂ ପିଙ୍କିଙ୍କ ସଫଳତା ଆଗାମୀ ପିଢ଼ିର ଖେଳାଳିଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ। ଫୁଟବଲ ଖେଳାଳୀ ପ୍ରଶାନ୍ତ ବେହେରା ନିଜ ବକ୍ତବ୍ୟରେ ପିଙ୍କିଙ୍କ ଏହି ସଫଳତାକୁ ବରପାଲି ତଥା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଥିଲେ। ଶେଷରେ ପିଙ୍କିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ବରଗଡ଼ ଜିଲ୍ଲାର କୁମ୍ଭାରୀ ନିବାସୀ ପିଙ୍କି ବରପାଲି ୨୦୨୬ ମସିହାରେ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF)ର ଲେଭେଲ–୫ ସହକାରୀ ରେଫରି ଭାବେ ଯୋଗ୍ୟତା ହାସଲ କରିଛନ୍ତି। ମଧ୍ୟପ୍ରଦେଶର ଗ୍ୱାଲିଅରରେ ଆୟୋଜିତ ଶାରୀରିକ ଓ ଲିଖିତ ପରୀକ୍ଷା ସହ ଛତିଶଗଡ଼ର ନାରାୟଣପୁରରେ ଅନୁଷ୍ଠିତ AIFF U-17 ମହିଳା ୟୁଥ୍ ଲିଗ୍ର ପ୍ରାକ୍ଟିକାଲ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି।
ପିଙ୍କି ୨୦୨୩ରେ ଲେଭେଲ–୮, ୨୦୨୪ରେ ଲେଭେଲ–୭, ୨୦୨୫ରେ ଲେଭେଲ–୬ ଏବଂ ୨୦୨୬ରେ ଲେଭେଲ–୫ ସହକାରୀ ରେଫରି ଭାବେ କ୍ରମାଗତ ପଦୋନ୍ନତି ହାସଲ କରିଛନ୍ତି। ଏହି ସଫଳତା ପାଇଁ ସେ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ଓ ହେଡ୍ ଅଫ୍ ରେଫରି ଶ୍ରୀ ଦୁର୍ଗା ମାଧବ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ପିଙ୍କି ପିତା ଶ୍ରୀ ବିନୋଦ ହଂସ ଓ ମାତା ଶ୍ରୀମତୀ ଜାହ୍ନବୀ ହଂସଙ୍କ କନ୍ୟା।
