ବାହୁଡ଼ା ଯାତ୍ରାରେ ମାନବିକତାର ଉଦାହରଣ: ରକ୍ତଦାନ କରି କିଶୋରୀଙ୍କ ଜୀବନ ବଞ୍ଚାଇଲେ ଯୁବ ଉଦିତ ଠାକୁର : (କଳାହାଣ୍ଡି ଜିଲ୍ଲା କୋକସରା ରୁ ଭଞୀଦୁତ ଖବର କାଗଜ)
ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଜଣେ ରକ୍ତହୀନତାରେ ପୀଡ଼ିତ କିଶୋରୀଙ୍କ ଜୀବନ ବଞ୍ଚାଇ ମାନବିକତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଯୁବ ସାମ୍ବାଦିକ ତଥା ସମାଜସେବୀ ଉଦିତ ନାରାୟଣ ଠାକୁର। କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ, କଳାହାଣ୍ଡିର ସକ୍ରିୟ ସଦସ୍ୟ ଭାବେ ସେ ପୂର୍ବରୁ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ନେଇ ଆସୁଛନ୍ତି। ସମାଜର ବିଭିନ୍ନ ସମସ୍ୟାକୁ ଗଣମାଧ୍ୟମ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ଜରୁରୀ ସମୟରେ ରକ୍ତଦାନ କରି ସେ ପୁଣିଥରେ ପ୍ରଶଂସାର ପାତ୍ର ପାଲଟିଛନ୍ତି।
ସୂଚନା ଅନୁଯାୟୀ, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମର ୧୭ ବର୍ଷୀୟା ଖୁସି ନାଗ ଗୁରୁତର ରକ୍ତହୀନତାରେ ପୀଡ଼ିତ ହୋଇ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଚିକିତ୍ସକ ତୁରନ୍ତ ଏ-ପଜିଟିଭ୍ ରକ୍ତର ଆବଶ୍ୟକତା ଥିବା କହିବା ପରେ ପରିବାର ଲୋକ ଚିନ୍ତାରେ ପଡ଼ିଯାଇଥିଲେ।
ଏହି ଖବର ପାଇବା ମାତ୍ରେ ଯୁବ ସାମ୍ବାଦିକ ଉଦିତ ନାରାୟଣ ଠାକୁର ବିଳମ୍ବ ନକରି ସାମ୍ବାଦିକ ପ୍ରଦୀପ ସେଠିଆଙ୍କ ସହ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାରରେ ପହଞ୍ଚି ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ। ସମୟୋପଯୋଗୀ ରକ୍ତଦାନ ଫଳରେ କିଶୋରୀଙ୍କ ଚିକିତ୍ସା ଆରମ୍ଭ ହୋଇପାରିଥିଲା। ଏଥିପାଇଁ ତାଙ୍କ ପରିବାର ସଦସ୍ୟମାନେ ଉଦିତଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଏହି ମହତ୍ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଉଦିତ ନାରାୟଣ ଠାକୁର ଏହା ପୂର୍ବରୁ ମଧ୍ୟ ଜରୁରୀ ପରିସ୍ଥିତିରେ ରକ୍ତଦାନ କରି ଅନେକଙ୍କ ଜୀବନ ରକ୍ଷାରେ ସହଯୋଗ କରିଛନ୍ତି। ସମାଜସେବା ପ୍ରତି ତାଙ୍କର ଏହି ନିଷ୍ଠାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି।
