ଅନ୍ତିମ ଭୋଟର ତାଲିକା ପ୍ରକାଶନ ପାଇଁ ୨୧,୮୯,୫୩୩ଟି ଆବେଦନ ସଂରକ୍ଷିତ
ଛତ୍ରପୁର, ତା.୨୩/୦୭: ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)-୨୦୨୬ ଅଧୀନରେ ଚାଲିଥିବା ଭୋଟର ତାଲିକା ସମ୍ପର୍କିତ ଆପତ୍ତି, ଅଭିଯୋଗ, ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇଛି।
ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପାଇଁ ମୋଟ ୫,୨୯,୦୮୬ଟି ନୋଟିସ୍ ସଫଳତାର ସହ ସୃଷ୍ଟି କରାଯାଇଛି। ସେଥିମଧ୍ୟରୁ ୨,୦୦,୭୩୬ଟି ନୋଟିସ୍ ବିତରଣ କରାଯାଇଥିବାବେଳେ, ଅବଶିଷ୍ଟ ୩,୨୮,୩୫୦ଟି ନୋଟିସ୍ ବିଏଲ୍ଓ ଓ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ଯାଇ ଶୀଘ୍ର ବିତରଣ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାରେ ନୋଟିସ୍ଗୁଡ଼ିକର ଶୁଣାଣି ପ୍ରକ୍ରିୟା ମଧ୍ୟ ସୁଚାରୁ ଭାବେ ଚାଲିଛି। ଏପର୍ଯ୍ୟନ୍ତ ୫୫,୮୩୧ଟି ନୋଟିସ୍ର ଶୁଣାଣି ସମ୍ପନ୍ନ ହୋଇଥିବାବେଳେ ୧,୭୬୨ଟି ମାମଲା ବିଚାରାଧୀନ ରହିଛି। ଯାଞ୍ଚ ପରେ ୩୦୫ଟି ମାମଲାକୁ ଅଯୋଗ୍ୟ ବିବେଚନା କରାଯାଇଛି।
ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨୧,୮୯,୫୩୩ଟି ଆବେଦନ ଅନ୍ତିମ ଭୋଟର ତାଲିକା ପ୍ରକାଶନ ପାଇଁ ସଂରକ୍ଷିତ ରହିଛି। ସେଥିମଧ୍ୟରୁ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୨,୦୦,୪୮୩ଟି ଆବେଦନ ସଂରକ୍ଷିତ ରହିଛି। ସମସ୍ତ ବିଧିବଦ୍ଧ ଯାଞ୍ଚ, ଶୁଣାଣି ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏହି ଆବେଦନଗୁଡ଼ିକୁ ଅନ୍ତିମ ଭୋଟର ତାଲିକାରେ ସ୍ଥାନ ଦିଆଯିବ।
ଜିଲ୍ଲାର ସମସ୍ତ ବିଏଲ୍ଓ, ନିର୍ବାଚନ କର୍ମଚାରୀ ଓ ତଦାରଖକାରୀ ଅଧିକାରୀମାନେ ନୋଟିସ୍ ବିତରଣ, କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ଶୁଣାଣି କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରୁଥିବାରୁ ଜିଲ୍ଲାପାଳ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। ଅବଶିଷ୍ଟ କାର୍ଯ୍ୟକୁ ମଧ୍ୟ ସମାନ ତତ୍ପରତା ଓ ନିଷ୍ଠାର ସହ ସମାପ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ
