ଟ୍ରକକୁ ପଛପଟୁ ଧକା ଦେଲା ଟ୍ରକ : ଜଣେ ମୃତ ଜଣେ ଗୁରୁତର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ୧୬ ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣା ବନ୍ଦ ହେବାର ନାମ ନେଉନି। ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ର ନଜିର୍ ରହିଛି। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ସୋର ହୋଟେଲ ସମ୍ମୁଖରେ ଛିଡା ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ଧକା ଦେବା ଫଳରେ ଟ୍ରକର ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ହେଲଫର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ସୋର ହୋଟେଲ ସମ୍ମୁଖରେ ଏକ ଟ୍ରକ ଛିଡା ହୋଇଥିବା ବେଳେ କଲିକତାରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ଆଇଚର ଗାଡିର ଚକା ଫାଟିବାରୁ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକା ଦେଇଥିଲା। ଫଳରେ ଗାଡିର ହେଲପର ଓ ଚାଳକ ଟ୍ରକ ମଧ୍ୟରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସୋର ପୁଲିସ ଓ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ଚାଳକ ପଞ୍ଜାବ ଲୁଧିଆନା ଅଞ୍ଚଳର କୁଲଦୀପ ସିଂହଙ୍କୁ ମୃତ ଘୋଷଣା କରିଥିଲେ। ସେହି ଅଞ୍ଚଳର ହେଲପର ଜଗଦିଶ ସିଂଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ପୁଲିସ ଘଟଣା ସ୍ଥଳରୁ ଦୁଇଟି ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
