ବରଗଡ଼ରେ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ: ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ବିଶାଳ ସଚେତନତା ରାଲିର ଶୁଭାରମ୍ଭ
ବରଗଡ଼:୨୬/୦୬(ନି ପ୍ର )ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଆଜି “ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ-୨୦୨୬” ଅବସରରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ ବରଗଡ଼ର ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ସଚେତନତା ରାଲିର ଶୁଭାରମ୍ଭ (ଫ୍ଲାଗ୍ ଅଫ୍) କରିଥିଲେ। ଏହି ଅବସରରେ ଜิଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅମ୍ବୁଜାକ୍ଷ ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ସଚେତନତା ରାଲିଟି ସକାଳ ୭:୦୦ ଘଣ୍ଟା ସମୟରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରୁ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲା ଏବଂ ଷ୍ଟେଟ୍ ବ୍ୟାଙ୍କ ଛକ ଦେଇ ସେଠାରୁ ପୁଣି ଜର୍ଜ ହାଇସ୍କୁଲ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲା। ନିଶାମୁକ୍ତ ଭାରତ ଅଭିଯାନ ପାଇଁ ଉତ୍ସର୍ଗୀକୃତ “ସେଭ୍” (SAVE) ସ୍ୱେଚ୍ଛାସେବୀ ସଂଗଠନର ସ୍ୱେଚ୍ଛାସେବୀ, ବ୍ରହ୍ମାକୁମାରୀ ସଂଗଠନର ସଦସ୍ୟ ଏବଂ କୋଶଲ ଫିଜିକାଲ ଏକାଡେମୀର ସଦସ୍ୟମାନେ ଏହି ଶୋଭାଯାତ୍ରାରେ ପ୍ରମୁଖ ଭାବେ ସାମିଲ ହୋଇଥିଲେ।
ଅଂଶଗ୍ରହଣକାରୀମାନେ ହାତରେ ନିଶା ନିବାରଣ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଓ ପ୍ଲାକାର୍ଡ ଧରି ସହର ପରିକ୍ରମା କରିବା ସହ ଜନସାଧାରଣଙ୍କୁ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ସମାଜରୁ ନିଶା ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ଏକ ସ୍ୱାକ୍ଷର ଅଭିଯାନ (Signature Campaign) ର ଆୟୋଜନ କରାଯାଇଥିଲା, ଯେଉଁଥିରେ ଅତିଥି ଓ ଉପସ୍ଥିତ ସମସ୍ତ ସଦସ୍ୟ ସ୍ୱାକ୍ଷର କରି ନିଜର ସଂକଳ୍ପ ପ୍ରକାଶ କରିଥିଲେ। ଏହା ସହିତ ସମସ୍ତ ଅଂଶଗ୍ରହଣକାରୀ ଓ ସାଧାରଣ ଜନତାଙ୍କୁ ନିଶାଦ୍ରବ୍ୟ ସେବନ ନ କରିବା ଏବଂ ଏହାର ଅବୈଧ ଚୋରା ଚାଲାଣ ବିରୋଧରେ ଏକଜୁଟ ହୋଇ ଲଢ଼ିବା ପାଇଁ ଶପଥ ଗ୍ରହଣ କରାଯାଇଥିଲା।
