ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ୭ ଦଫା ଦାବି ପତ୍ର
ବରଗଡ଼ :୨୩.୦୬.(ନି ପ୍ର )ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ୭ ଦଫା ଦାବୀ ନେଇ ସକାଳ ୧୦ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା। ବରଗଡ଼ ଗାନ୍ଧୀ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଆନ୍ଦୋଳନ ରତ ଚାଷୀମାନେ ଜିଲ୍ଲାପାଳ ଅଫିସକୁ ପହଞ୍ଚି ଥିଲେ। ସେଠାରେ ଏକ ଭିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା ସଭାରେ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର ଏବଂ ଉତ୍ପନ୍ନ ଭୋଇ ସଭା ପରିଚାଳନା କରିଥିଲେ। ପ୍ରଥମେ ଧାନ ବିକ୍ରି ଜଟିଳତା କାରଣରୁ ଜୀବନ ହରାଇଥିବା ହରିଶଙ୍କର ପାତ୍ର ଏବଂ ନେପାଳ ମାଝୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏବଂ ଏହି ଦୁଇ ଅମୁଲ୍ୟ ଜୀବନର ପରିବାର ବର୍ଗକୁ କ୍ଷିତିପୂରଣ ଦେବା ପାଇଁ ଦାବୀ କରାଯାଇଥିଲା। ସଭାରେ ସରକାରଙ୍କ ଭୁଲ ଧାନ ସଂଗ୍ରହ ନୀତି ଏବଂ ଉଦେଶ୍ୟ ମୂଳକ ଭାବରେ ସେଟଲାଇଟ ବାହାନା କରି ଚାଷୀଙ୍କ ଜମି ତୁଳନାରେ ଟୋକନ କାଟିବା ଷଡଯନ୍ତ୍ରକୁ ତୀବ୍ର ନିନ୍ଦା କରାଯାଇଥିଲା। ଏପରି,କି ଜିଲ୍ଲାରେ ପଞ୍ଜୁକୃତ ୧,୦୫,୪୯୪ ଜଣ ଚାଷୀଙ୍କ ମଧ୍ୟରୁ ୧,୦୦,୨୪୫ ଜଣଙ୍କ ଟୋକନ ଆସିଛି ଏବଂ ଅନ୍ୟ ୫,୨୬୯ ଜଣଙ୍କ ଟୋକନ କାହିଁକି ଆସି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା। ଜିଲ୍ଲାରେ ମୋଟ ୮୫,୬୪୮ ଚାଷୀ ୪୭,୬୯,୨୮୨ କ୍ୟୁଣ୍ଟାଲ ଧାନ ବିକ୍ରି କରିଛନ୍ତି ଏବଂ ଆହୁରୀ ୨୫ ହଜାର ଚାଷୀ ଧାନ ବିକ୍ରି ଅପେକ୍ଷାରେ, ଯେଉଁ ମଣ୍ଡି ମାନଙ୍କରେ କଟନୀ ଦିଆଯାଇଛି ସେହି ଚାଷୀଙ୍କ ଧାନ ଠିକଠାକ ଉଠୁଛି ଯଦି ବିନା ଦଲାଲ ସାହାଯ୍ୟ ଧାନ ବିକ୍ରି କରିବା ଚେଷ୍ଟା କରୁଥିବା ଚାଷୀଙ୍କ ଧାନ ମାସ ମାସ ମଣ୍ଡିରେ ପଡିରହୁଛି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ପରେ କେନ୍ଦ୍ରୟ ଟୋକନ ବ୍ୟବସ୍ଥା ଉଛେଦ, ପଞ୍ଜିକୃତ ସମସ୍ତ ଚାଷୀଙ୍କୁ ଜମି ଅନୁସାରେ ଟୋକନ ପ୍ରଦାନ, ଦଲାଲ ମୁକ୍ତ କଟନୀ ରହିତ ମଣ୍ଡି ବ୍ୟବସ୍ଥା, ଚାଷୀଙ୍କ ଧାନ ପଡ଼ିବାର :୪୮ ଘଣ୍ଟା ମଧ୍ୟରେ ଧାନ କଣାଯାଉ, ଜିଲ୍ଲାରେ ପଡିଥିବା ୭ ଲକ୍ଷ ପକେଟ ଧାନ ତୁରନ୍ତ କିଣା ଯାଉ, କଳାବଜାରୀ ବନ୍ଦ କରି ସୁଲଭ ମୂଲ୍ୟରେ ରାସାୟନିକ ସାର ଯୋଗାଇ ଦିଆଯାଉ, ପ୍ରାମାଣିକ ଅଧିକ ଅମଳ କ୍ଷମ ବିହନ ସରକାରୀ ସଂସ୍ଥା ଜରିଆରେ ଦିଆ ଯାଉ ଏବଂ ବରଗଡ଼ ଭେଡେନ କେନାଲ ର ସୌନ୍ଦର୍ଯ୍ୟ କରଣ ନାଁରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଚାଷୀମାନଙ୍କୁ ଠିକ ଭାବରେ ଜଳଯୋଗଣ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କୁ ପ୍ରଦାନ କରାଯାଇଛି ଏହା ସାଙ୍ଗକୁ ବ୍ୟକ୍ତି ଗତ ଭାବରେ ୨୮୫ ଜଣ ଚାଷୀ ନିଜନିଜ ଅଭିଯୋଗ ପତ୍ର ମଧ୍ୟ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଯଥା ସମ୍ଭବ ଦାବୀ ପୂରଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଯଦି ଶୁକ୍ରବାର ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ରାଜ ରାସ୍ତାକୁ ଉଲ୍ହାଇବା ପାଇଁ ବାଧ୍ୟ ହେବୁ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦେଇଛନ୍ତି। ସଂଗଠନର କର୍ମକର୍ତ୍ତା ମାନେ ଅରବିନ୍ଦ ପଣ୍ଡା, ସରୋଜ ସାହୁ, କୁଞ୍ଜବିହାରୀ ପଧାନ ,ପ୍ରଭାତ ସାହୁ, ସୁବାସ ପଧାନ, ଟେକରାଜ ପଧାନ, ସୁରେଶ ବିଶି, ସୁଦାମ ପାତ୍ର, କୁନା ପଧାନ, ଭୁବନ ପଧାନ, ଟିକେଲାଲ ମିଶ୍ର, ସୁରେଶ ନିକେଣ୍ଟି, କିଶୋର ସାହୁ, ବାବ୍ରୁବାହାନ ସାହୁ, ନିରଞ୍ଜନ ପଧାନ, ଥବିର ସାହୁ, ଅଭିମନ୍ୟୁ ପଧାନ ଏବଂ ଈଶାନ୍ତ ଭୋଇ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
