*ଶରଧାପାଲିରେ ସାଇକ୍ରିଷ୍ଣା ଚେରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ, ଝୁମିଲା ସାଂସ୍କୃତିକ ସନ୍ଧ୍ୟା* ।
ଗାଇସିଲେଟ :୩୦/୦୫(ନି ପ୍ର) ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଶରଧାପାଲି ଗ୍ରାମରେ ଶୁକ୍ରବାର ଦିନ ସାଇକ୍ରିଷ୍ଣା ଚେରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଏବଂ ସାଇକ୍ରିଷ୍ଣା ସାହୁଙ୍କ ପ୍ରଥମ ବାର୍ଷିକ ସ୍ମୃତି ଉତ୍ସବ ଭବ୍ୟ ଭାବରେ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟା ଦର୍ଶକମାନଙ୍କ ମନକୁ ବିମୋହିତ କରିଥିଲା।
ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ କଳାକାରମାନେ ଡାଲଖାଇ, ରସରକେଲି, ନଚନିଆ, ବଜନିଆ ସହିତ ସମ୍ବଲପୁରୀ ଲୋକନୃତ୍ୟ ଓ ଲୋକଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। ସମ୍ବଲପୁରୀ ସଂସ୍କୃତିର ଝଲକ ଏବଂ ଲୋକକଳାର ମନୋମୁଗ୍ଧକର ପରିବେଷଣ ସମଗ୍ର ପରିବେଶକୁ ଉତ୍ସବମୁଖର କରିଦେଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶଙ୍କର ବେହେରା ଓ ଗ୍ରୁପ, ମହନୀ ଫୋକ ଏକାଡେମୀ ଏବଂ ଭକ୍ତିନିର୍ମାଲ୍ୟ ଭଜନ ଗ୍ରୁପ ଆକର୍ଷଣୀୟ ପ୍ରଦର୍ଶନ କରି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ନବୀନ ସାହୁ, କୁମୁଦ ନାୟକ, ଅଜିତ ସାହୁ, ସୋନୁ ପଣ୍ଡା, ଶିବୁଲୁ କଦମ, ତୁଷାର ସାହୁ, ଆଶୁ ବାରିକ, ଦୁର୍ଗେଶ୍ୱର ବାଗ ଓ ଶଙ୍କର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିଥିଲେ। ପ୍ରାରମ୍ଭରେ ଟ୍ରଷ୍ଟର ସଭାପତି କୁବେର ସାହୁ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସଫଳ ରୂପାୟନରେ ରତନ, ଦୀପକ, ରବୀନ୍ଦ୍ର ଓ ବଶିଷ୍ଠ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଭାପତି କୁବେର ସାହୁ ଧନ୍ୟବାଦ ଅର୍ପଣ କରି ସଭାର ସମାପନ ଘୋଷଣା କରିଥିଲେ। ଏହି ଉତ୍ସବ କେବଳ ସାଇକ୍ରିଷ୍ଣା ସାହୁଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିନଥିଲା, ବରଂ ସମ୍ବଲପୁରୀ ଲୋକକଳା ଓ ସଂସ୍କୃତିର ପ୍ରଚାର,ପ୍ରସାର ପାଇଁ ଏକ ସୁନ୍ଦର ମଞ୍ଚ ସୃଷ୍ଟି କରିଥିଲା।
