ବୌଦ୍ଧ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ l ସରକାରଙ୍କ ସମସ୍ତ ଯୋଜନା ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ l
ବୌଦ୍ଧ, ତା. ୨୭/୦୫:
ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଗୃହ ଏବଂ ନଗର ଉନ୍ନୟନ ଓ ସାର୍ବଜନୀନ ଉଦ୍ୟୋଗ ବିଭାଗ , ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଓ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ ।ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ମଧ୍ୟ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ l ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ ଚିତ୍ର ଉପସ୍ଥାପନ କରାଯାଇଥିଲା । ବୌଦ୍ଧଗଡ଼ ମୁନିସିପାଲଟି, ପାନୀୟ ଜଳ ଯୋଗାଣ, ଅନ୍ତ୍ୟୋଦୟ ଗୃହ ଯୋଜନା,ସ୍ୱାସ୍ଥ୍ୟ ବିଭାଗ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମିଶନ ଶକ୍ତି, ରାସ୍ତା ଓ କୋଠାବାଡ଼ି, ଜଳସେଚନ, କୃଷି, ବନ, ମତ୍ସ୍ୟ, ପଶୁ ସମ୍ପଦ ଓ ଶିକ୍ଷା ଇତ୍ୟାଦି ବିଭାଗର କାର୍ଯ୍ୟକଳାପ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା l ସମୀକ୍ଷାରୁ ଜଣାପଡ଼ିଲା ଯେ ବୌଦ୍ଧଗଡ଼ ମୁନିସିପାଲିଟିରେ ମୋଟ ୧୦,୦୪୭ଟି ଘର ଥିବାବେଳେ ୨୫ଟି ୱାର୍ଡ ରହିଛି । ୧୪ଟି ମାର୍କେଟ କମ୍ପ୍ଲେକ୍ସରେ ୩୬୩ଟି ଦୋକାନ ଘର ଏବଂ ୪ଟି ଭେଣ୍ଡିଂ ଜୋନରେ ୬୭ଟି ଦୋକାନ ଘର ରହିଛି । ଏବର୍ଷ ବିଭିନ୍ନ ପ୍ରକଳ୍ପ ପାଇଁ ୪୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଥିବାବେଳେ ଏପର୍ଯ୍ୟନ୍ତ ୧୪.୯୫ କୋଟି ଟଙ୍କା ବ୍ୟୟ କରାଯାଇଛି । ହୋଲ୍ଡିଂ ଟ୍ୟାକ୍ସ ବାବଦରେ ୧୭.୩୯ ଲକ୍ଷ ଏବଂ ସମୁଦାୟ ରେଭିନ୍ୟୁ ଆଦାୟ ୨୧.୩୦ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଥିଲା ।ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ ଜିଲ୍ଲାର ସମସ୍ତ ଗ୍ରାମ ଓ ସହରକୁ ୨୪x୭ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ । ବୌଦ୍ଧଗଡ଼ ମୁନିସିପାଲିଟିର ବିଭିନ୍ନ ସ୍ଥାନର ନବୀକରଣ, ସ୍ୱର୍ଗଦ୍ୱାର ନିର୍ମାଣ, ନୂତନ ଟାଉନ ହଲ୍ ନିର୍ମାଣ, ସ୍ମାର୍ଟ ରୋଡ଼, ସ୍ମାର୍ଟ ପାର୍କ ଓ ଆଧୁନିକ ଆଲୋକୀକରଣ କାର୍ଯ୍ୟ ଶୀଘ୍ର କରାଯିବ । ଏହାସହିତ ଜିଲ୍ଲାରେ ମନୋରଞ୍ଜନ ଭିତ୍ତିକ ପ୍ରକଳ୍ପ ଓ ରେଭିନ୍ୟୁ ଉତ୍ସ ସୃଷ୍ଟି କରାଯିବା ସହ ରାସ୍ତା କଡ଼ରେ ଥିବା ଷ୍ଟ୍ରିଟ ଭେଣ୍ଡରମାନଙ୍କ ଆର୍ଥିକ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ।ଜିଲ୍ଲାର ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସିସିଟିଭି ଓ ଆଇସିସିସି ବ୍ୟବସ୍ଥା କରାଯିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ଘର ନିର୍ମାଣ କରିପାରୁନାହାନ୍ତି, ସେମାନଙ୍କ ଘର ପ୍ରଶାସନ ପକ୍ଷରୁ ସମୟମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଥିଲେ । ମିଶନ ଶକ୍ତି ମାଧ୍ୟମରେ ଅଧିକରୁ ଅଧିକ ମହିଳାଙ୍କୁ “ଲକ୍ଷପତି ଦିଦି” ରୂପେ ଗଢ଼ି ତୋଳିବାକୁ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ କହିଥିଲେ l ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନଙ୍କୁ ସେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ର ଲାଭ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହି ସମସ୍ତ ଉନ୍ନୟନ ମୂଳକ କାମରେ ଜନ ପ୍ରତିନିଧି ମାନଙ୍କୁ ସାମିଲ କରି ସେମାନଙ୍କ ପରାମର୍ଶ ନେବା ପାଇଁ କହିଥିଲେ l
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ଏଡିସନାଲ ଏସ୍ ପି ସାର୍ଥକ ରାୟଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।
ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମାନ୍ୟବର ମନ୍ତ୍ରୀ ସାକ୍ଷାତକାର ଦେଇ ବୌଦ୍ଧଗଡକୁ ଏକ ଆଦର୍ଶ ମ୍ୟୁନିସିପାଲିଟୀ ଭାବରେ ଗଢ଼ି ତୋଳିବା ସହିତ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ ।
