*ସରକାରୀ ନିୟମକୁ ବେଖାତିର ଜଣେ କର୍ମଚାରୀ ଦୁଇଟି ପଦବୀ*
ନୂଆପଡା(ମିଖାଏଲ ନନ୍ଦ)
ତା -୨୭/୦୫
ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଏକ ସମୟରେ ଦୁଇଟି ସରକାରୀ ବା ଅଧା-ସରକାରୀ ଚାକିରୀ କରିପାରିବେ ନାହିଁ। ଏହାକୁ ସମ୍ପୂର୍ଣ୍ଣ ରୂପେ ବେଆଇନ ବା ପ୍ରତିବନ୍ଧକ ବୋଲି ଧରାଯାଏ। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ରୋଷେୟା ଏବଂ ଜିଓଟେକ୍ ଭଳି ସରକାରୀ କାର୍ଯ୍ୟ ଜଣେ ବ୍ୟକ୍ତି ଏକା ସାଙ୍ଗରେ କରିପାରିବେ ନାହିଁ। ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧିର ଧାରା ୧୭ ଅନୁଯାୟୀ, ସରକାରଙ୍କ ଠାରୁ ଦରମା ବା ପାରିଶ୍ରମିକ ପାଉଥିବା କୌଣସି ବି କର୍ମଚାରୀ ସରକାରଙ୍କ ବିନା ଅନୁମତିରେ ଅନ୍ୟ କୌଣସି ବ୍ୟବସାୟ ବା ଚାକିରୀରେ ନିଜକୁ ନିୟୋଜିତ କରିପାରିବେ ନାହିଁ।
ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମ ପଞ୍ଚାୟତ ଅଧୀନରେ ଦୀର୍ଘ ଆଠ ଦଶ ବର୍ଷ ହେବ ଜିଓଟେକ୍ ଭାବରେ କାର୍ଯ୍ୟରତ ଥିବା ରେଶମଲାଲ ଦଣ୍ଡସେନା ଗତ ୨୦୨୫ ମସିହାରୁ ପ୍ରାୟ ସାତ ଆଠ ମାସ ହେବ ଟିମନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମୁଖ୍ୟ ରୋଷେୟା ଭାବରେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଛନ୍ତି। ରୋଷେୟାଙ୍କୁ ବିଦ୍ୟାଳୟ ହଷ୍ଟେଲରେ ୨୪ ଘଣ୍ଟା (୨୪X୭) ସବୁବେଳେ ରହିବାକୁ ପଡ଼ିଥାଏ। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମୁଖ୍ୟ ରୋଷେୟା (ମାସିକ ଦରମା ୯,୦୦୦ଟଙ୍କା )।ସେହିପରି ସ୍ଥଳେ ସେ କିପରି ଉଭୟ ମୁଖ୍ୟ ରୋଷେୟା ଓ ଜିଓଟେକ୍ କାର୍ଯ୍ୟ ଏକା ସାଙ୍ଗରେ କରୁଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ସେ ଆଜି ପର୍ଯ୍ୟନ୍ତ ସେହି ଉଭୟ କାର୍ଯ୍ୟ କରି ଆସୁଥିବା ବେଳେ ସ୍ଥାନୀୟ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ କିମ୍ବା ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଜାଣି ପାରୁନାହାନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସମସ୍ତେ ଜାଣିଶୁଣି ମିଳିମିଶି କାମ ଚଳାଇଛନ୍ତି କି? ତାହାର ତଦନ୍ତ କରିବାକୁ ସ୍ଥାନୀୟ ଜନ ସାଧାରଣ ଦାବୀ କରିଛନ୍ତି।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଡ଼ିଶା ସରକାରଙ୍କ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ଅଟେ। ସେଠାରେ ମୁଖ୍ୟ ରୋଷେୟା ପଦବୀଟି ଚୁକ୍ତିଭିତ୍ତିକ ମାଧ୍ୟମରେ ହୋଇଥିଲେ ମଧ୍ୟ ତାଙ୍କର ଦରମା ସରକାରଙ୍କ ତରଫରୁ ମିଳିଥାଏ। ଏଥିପାଇଁ ତାଙ୍କୁ ମାସିକ ଦରମା ବାବଦକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସରକାରଙ୍କ ପାଖରୁ ଦିଆଯାଇଥାଏ।
ଅନ୍ୟପଟେ ଜିଓଟେକ୍ (ଏନ୍.ଆର.ଇ.ଜି.ଏସ୍.) ସମ୍ବନ୍ଧୀୟ ଯେକୌଣସି ସରକାରୀ ଯୋଜନାର କାର୍ଯ୍ୟ (ଯେପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘରର ବିଭିନ୍ନ ପର୍ଯ୍ୟାୟ, ଯେପରିକି ଭିତ୍ତିଭୂମି, ଲିଣ୍ଟେଲ, ଘର ସମ୍ପୂର୍ଣ୍ଣ ହେବାର ଜିଓ-ଟ୍ୟାଗିଂ କରିବା) ପାଇଁ ମଧ୍ୟ ସରକାରୀ ପାଣ୍ଠିରୁ ଅର୍ଥ ମିଳିଥାଏ। ଏହି ସବୁ ଫଟୋଗୁଡ଼ିକୁ ଉଠାଇବା ଓ ଅପଲୋଡ଼ କରିବା ପାଇଁ ପ୍ରତି ଘର ହିସାବରେ ପାରିଶ୍ରମିକ ଜିଓଟେକଙ୍କ ଆକାଉଣ୍ଟକୁ ସରକାରଙ୍କ ଆପ୍ ମାଧ୍ୟମରେ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।
