*ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ*
ନୂଆପଡା (ମିଖାଏଲ ନନ୍ଦ),
୨୫ ମେ ୨୦୨୬:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ-୩୫୩ ର ସନ୍ମହେଶ୍ୱର ଗ୍ରାମ ନିକଟସ୍ଥ ବଂଶଲ ରାଇସ୍ ମିଲ୍ ସମ୍ମୁଖରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ସମ୍ମୁଖରୁ ଆସୁଥିବା ମୋଟର ସାଇକେଲକୁ ସିଧାସଳଖ ଧକ୍କା ଦେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ବଡ଼ମହେଶ୍ୱର ଗ୍ରାମର ଅରୁଣ ମାଝୀ (୩୫) ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯:୩୦ ସମୟରେ ଅରୁଣ ମାଝୀ ନିଜ ବାଇକ୍ ଯୋଗେ ଖଡ଼ିଆଳ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ଏକ ବସ୍ ତାଙ୍କୁ ସନ୍ମହେଶ୍ୱର ନିକଟରେ ସମ୍ମୁଖରୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଧକ୍କାଟି ଏତେ ଭୟଙ୍କର ଥିଲା ଯେ ଅରୁଣ ଛିଟିକି ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଉତ୍ତେଜନା ଓ ରାସ୍ତା ଅବରୋଧ
ଅରୁଣଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନା ପ୍ରକାଶ କରିଥିଲେ। ଉତ୍ୟକ୍ତ ଲୋକେ ମୃତଦେହକୁ ଜାତୀୟ ରାଜପଥ ଉପରେ ରଖି ରାସ୍ତା ଅବରୋଧ କରିବା ସହ ଦୁର୍ଘଟଣା ଘଟାଇଥିବା ବସ୍ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ।ଖବର ପାଇ ଖଡ଼ିଆଳର ଅତିରିକ୍ତ ତହସିଲଦାର (ଇନଚାର୍ଜ) ସୁଧାଂଶୁ ମାଲ, ସ୍ଥାନୀୟ ପୋଲିସ ପ୍ରଶାସନ, ଏସଡିପିଓ ଉପେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ଗୌତମ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ l ପ୍ରଶାସନ ତରଫରୁ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ତତ୍କାଳ ସହାୟତା ରାଶି ବାବଦକୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଛି । ଏହା ସହିତ ନିୟମାନୁଯାୟୀ ବସ୍ର ଇନସୁରାନ୍ସ (ତୃତୀୟ ପକ୍ଷ ବୀମା) ମାଧ୍ୟମରେ ମିଳିବାକୁ ଥିବା ସମସ୍ତ ସରକାରୀ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ସିଜ୍ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।
