*ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ପ୍ରଜ୍ଞା ପରୀମିତା ମାଝୀଙ୍କ ଐତିହାସିକ ସଫଳତା* ।
ବରଗଡ :୨୩/୦୫(ନି ପ୍ର )ଚଳିତ ବର୍ଷ ୨୦୨୬ରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ର ଉଦ୍ଭିଦବିଜ୍ଞାନ ବିଭାଗର ସ୍ନାତକୋତ୍ତର (M.Sc Botany) ପରୀକ୍ଷାରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଗ୍ରିଣ୍ଡୋଲମାଲ ଗ୍ରାମର ମେଧାବୀ ଛାତ୍ରୀ ପ୍ରଜ୍ଞା ପରୀମିତା ମାଝୀ ପ୍ରଥମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ତାଙ୍କର ଏହି କୃତିତ୍ୱ କେବଳ ପରିବାର କିମ୍ବା ଗ୍ରାମରେ ସୀମିତ ନ ରହି ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ସୃଷ୍ଟି କରିଛି । ପ୍ରଜ୍ଞା ପରୀମିତା ମାଝୀ ଛୋଟବେଳୁ ପଢ଼ାଶୁଣାରେ ଅତ୍ୟନ୍ତ ମେଧାବୀ ଓ ପରିଶ୍ରମୀ ଛାତ୍ରୀ ଭାବରେ ପରିଚିତ ଥିଲେ । ନିଜର ଅଦମ୍ୟ ଇଚ୍ଛାଶକ୍ତି, ନିୟମିତ ଅଧ୍ୟୟନ ଓ ଶିକ୍ଷା ପ୍ରତି ଗଭୀର ଆଗ୍ରହ ଦ୍ୱାରା ସେ ସଫଳତାର ଏହି ଉଚ୍ଚ ଶିଖରକୁ ସ୍ପର୍ଶ କରିପାରିଛନ୍ତି । ଶିକ୍ଷାଜୀବନର ପ୍ରତ୍ୟେକ ପଦକ୍ଷେପରେ ସେ ନିଜ ପ୍ରତିଭାର ଛାପ ଛାଡ଼ିଆସିଥିବା ବେଳେ ଚଳିତ ବର୍ଷର ଏହି ସଫଳତା ତାଙ୍କ କ୍ୟାରିୟରରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଦେଇଛି । ଏହା ପୂର୍ବରୁ ୨୦୨୪ ମସିହାରେ ସେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ରୁ ବି.ଏସସି ପରୀକ୍ଷାରେ ମଧ୍ୟ ଟପ୍ପର ହୋଇ ନିଜର ଅସାଧାରଣ ମେଧାର ପରିଚୟ ଦେଇଥିଲେ । ଲଗାତାର ଦୁଇଟି ବଡ଼ ସଫଳତା ହାସଲ କରି ସେ ପ୍ରମାଣ କରିଦେଇଛନ୍ତି ଯେ ଦୃଢ଼ ସଙ୍କଳ୍ପ ଓ କଠିନ ପରିଶ୍ରମ ଥିଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ । ତାଙ୍କର ଏହି ଉଜ୍ଜ୍ୱଳ ସଫଳତା ଆଜିର ଯୁବପିଢ଼ୀଙ୍କ ପାଇଁ ଏକ ପ୍ରେରଣା ପାଲଟିଛି । ପ୍ରଜ୍ଞାଙ୍କ ବାପା ଶିକ୍ଷକ ପଞ୍ଚାନନ ମାଝୀ ଓ ମା’ ରୀନା ମାଝୀ ଝିଅର ଏହି ସଫଳତାରେ ଅତ୍ୟନ୍ତ ଆନନ୍ଦ ଓ ଗର୍ବ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ପ୍ରଜ୍ଞା ଆରମ୍ଭରୁ ହିଁ ଅଧ୍ୟୟନ ପ୍ରତି ଅନୁରାଗୀ ଥିଲେ ଓ ନିଜ ଲକ୍ଷ୍ୟ ପାଇଁ ସବୁବେଳେ ନିଷ୍ଠାର ସହିତ ପରିଶ୍ରମ କରୁଥିଲେ । ପରିବାରର ସହଯୋଗ ଓ ଶିକ୍ଷକମାନଙ୍କ ଆଶୀର୍ବାଦ ତାଙ୍କ ସଫଳତାର ମୂଳ ଆଧାର ବୋଲି ସେମାନେ କହିଛନ୍ତି । ତେବେ ପ୍ରଜ୍ଞାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗାଇସିଲେଟ ଓ ଟିଏଫ୍ କଲେଜ ବରଗଡ ର ଶିକ୍ଷକ-ଶିକ୍ଷୟତ୍ରୀମାନେ ଗର୍ବ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ପ୍ରଜ୍ଞା ସବୁବେଳେ ଶାନ୍ତ, ଶିଷ୍ଟ ଓ ଅଧ୍ୟବସାୟୀ ଛାତ୍ରୀ ଥିଲେ । ତାଙ୍କର ଏହି ସଫଳତା ଆଗାମୀ ଦିନରେ ଅଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରେରଣା ଦେବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । ଅଞ୍ଚଳର ବିଭିନ୍ନ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଶିକ୍ଷାପ୍ରେମୀ ମହଳ ପକ୍ଷରୁ ମଧ୍ୟ ପ୍ରଜ୍ଞାଙ୍କୁ ଢେର ସାରା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି ।
