*ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ* । ବରଗଡ :୩୦/୦୪(ନି ପ୍ର)(ଯୋଗେନ୍ଦ୍ର ସାହୁ )ବରଗଡ଼ ଜିଲ୍ଲା ଗାଇସିଲେଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗାଇସିଲେଟ ରେ ବରିଷ୍ଠ ଗୁରୁଜୀ ବେଦବ୍ୟାସ ପଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଭବ୍ୟ ଓ ଭାବବିହ୍ୱଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ଧରି ଶିକ୍ଷା, ଶିଷ୍ଟାଚାର ଓ ସଂସ୍କାର ଦାନ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ି ତୋଳିଥିବା ବେଦବ୍ୟାସ ପଧାନ ଗୁରୁଜୀଙ୍କୁ ସମ୍ମାନ ଜଣାଇବା ପାଇଁ ବିଦ୍ୟାଳୟ ପରିସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ମହଲା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେ ଗୁରୁଜୀଙ୍କ ଶିକ୍ଷାଦାନର ନିଷ୍ଠା, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ଓ ବିଦ୍ୟାଳୟ ପ୍ରତି ଅବଦାନକୁ ସ୍ମରଣ କରି ତାଙ୍କ କାର୍ଯ୍ୟଜୀବନକୁ ଅନୁକରଣୀୟ ବୋଲି ମତ ପ୍ରକାଶ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ବୁଦ୍ଧଦେବ ପୁରୋହିତ ,କୋଷାଧକ୍ଷ ଶାଶ୍ୱତ ପୁରୋହିତ, ଉପସଭାପତି କୁନା ସେଠ୍ ଓ ବିଦ୍ୟାଳୟର ସଭାପତି ଅରୁଣ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ସଭା ସୁଚାରୁ ଭାବେ ପରିଚାଳିତ ହୋଇଥିଲା ।
ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି ସଦସ୍ୟ, ଶୁଭେଚ୍ଛୁବୃନ୍ଦ, ଗୁରୁଜୀ-ଗୁରୁମା, ଅଭିଭାବକ-ଅଭିଭାବିକା ଓ ଶିଶୁ ଭାଇ-ଭଉଣୀମାନେ ନିଜ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ । ଅତିଥି ମାନେ ଗୁରୁଜୀଙ୍କ ସରଳ ବ୍ୟକ୍ତିତ୍ୱ, କର୍ତ୍ତବ୍ୟନିଷ୍ଠା ଓ ଆଦର୍ଶ ଶିକ୍ଷକ ଭାବମୂର୍ତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ଗୁରୁଜୀଙ୍କ ସ୍ନେହ, ଶାସନ ଓ ପ୍ରେରଣାଦାୟକ ଶିକ୍ଷାଦାନକୁ ସ୍ମରଣ କରି ଭାବବିହ୍ୱଳ ହୋଇପଡ଼ିଥିଲେ । ସମସ୍ତଙ୍କ ପକ୍ଷରୁ ବେଦବ୍ୟାସ ପଧାନ ଗୁରୁଜୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ସ୍ମୃତିଚିହ୍ନ ଓ ବିଭିନ୍ନ ଉପହାର ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ନିଜ ଅଭିଭାଷଣରେ ଗୁରୁଜୀ ସମସ୍ତଙ୍କ ଭଲପାଇବା ଓ ସମ୍ମାନ ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ସମାଜ ଓ ଶିକ୍ଷା କ୍ଷେତ୍ର ସହ ଜଡିତ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ଶେଷରେ ସମସ୍ତେ ଗୁରୁଜୀଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ । ପରିଶେଷରେ ଗୁରୁଜୀ ଅରକ୍ଷିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
