ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଡ. ପୃଷ୍ଟିଙ୍କୁ ବିଦାୟ ଓ ଶ୍ରୀ ନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ପ୍ରଜ୍ଞା ଓ ପରିଶ୍ରମ ଦ୍ବାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଡ. ପୃଷ୍ଟି : ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର: ତା ୨୯.୦୪.୨୦୨୬ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟିଙ୍କୁ ବିଦାୟ ଓ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଜିଲ୍ଲା ପରିଷଦର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ଡ. ପୃଷ୍ଟିଙ୍କୁ ଜଣେ ଦକ୍ଷ ଅଧିକାରୀ ବୋଲି ବର୍ଣ୍ଣନା କରିଥିଲେ । ଗଞ୍ଜାମ ଜିଲ୍ଲାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାର ଶୁଭାରମ୍ଭ ଠାରୁ ଆରମ୍ଭ କରି ଓସଓ୍ବାସ କାର୍ଯ୍ୟାନ୍ଵୟନ ପର୍ଯ୍ଯନ୍ତ ତାଙ୍କ ଉପରେ ଯେକୌଣସି ଦାୟୀତ୍ବ ନ୍ଯସ୍ତ କରାଯାଇଛି ସେ ସମସ୍ତ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ନିଜର ପ୍ରଜ୍ଞା ଓ ପରିଶ୍ରମ ଦ୍ବାରା ଯେଉଁଭଳି ସୁନାମ ଅର୍ଜନ କରିଛନ୍ତି ସେହିଭଳି ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ସୁନାମ ଅର୍ଜନ କରିବେ ବୋଲି ଜିଲ୍ଲାପାଳ ଆଶା ବ୍ଯକ୍ତ କରିଛନ୍ତି ।
ସେହିଭଳି ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ବାଗତ କରିବା ସହିତ ଶ୍ରୀ ନାୟକ ତାଙ୍କର ଗଞ୍ଜାମ ଜିଲ୍ଲାର ପୂର୍ବ ପ୍ରଶାସନିକ ଅଭିଜ୍ଞତାକୁ ପାଥେୟ କରି ସମସ୍ତ ଦାୟୀତ୍ବକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ସକ୍ଷମ ହେବେ ବୋଲି ଜିଲ୍ଲାପାଳ ଆଶା ବ୍ଯକ୍ତ କରିଛନ୍ତି ।
ଅତିରିକ୍ତ ଜିଲ୍ଲାପାଳ ଡ.ପୃଷ୍ଟି ତାଙ୍କର ବିଦାୟୀ ବକ୍ତବ୍ଯରେ ଗଞ୍ଜାମ ଜିଲ୍ଲା ଏକ ଅନନ୍ଯ ଜିଲ୍ଲା ବୋଲି ବର୍ଣ୍ଣନା କରିବା ସହିତ ଜିଲ୍ଲାର ଅଭିଜ୍ଞ ତଥା ବରିଷ୍ଠ କର୍ମଚାରୀଙ୍କ ସରକାରୀ ନୀତିନିୟମ ସମ୍ପର୍କିତ ଜ୍ଞାନର ପ୍ରଶଂସା କରିଥିଲେ । ମହାଭାରତ, ପୁରାଣ ତା’ସହିତ ଅଧ୍ଯାପକ ଓ ପ୍ରଶାସନିକ ଜୀବନର ଅନେକ ରୋଚକ କାହାଣୀ କହି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ଯରେ ପ୍ରେରଣା ସୃଷ୍ଟି କରିଥିଲେ । ପରିଶ୍ରମ କରିବାର ଓ ପ୍ରଜ୍ଞା ଆରୋହଣ କରିବାର ଆଗ୍ରହ ରହିଲେ ଜଣେ ଜଣେ ଭଲ ଅଧିକାରୀ ବା କର୍ମଚାରୀ ହୋଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିବେ ବୋଲି ସେ କହିଥିଲେ ।
ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଗଞ୍ଜାମ ଜିଲ୍ଲାକୁ ପ୍ରଶାସନିକ ଓ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଆଗକୁ ନେବାପାଇଁ ଜିଲ୍ଲାପାଳଙ୍କ ମାର୍ଗଦର୍ଶନ ଓ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ ।
ଆରକ୍ଷୀ ଅଧୀକ୍ଷକ, ଗଞ୍ଜାମ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସୁନୀଲ କୁମାର କେର୍କେଟା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ବ୍ରହ୍ମପୁର ଉନ୍ନୟନ ପରିଷଦର ସମ୍ପାଦକ ରମେଶ ହାଁସଦା, ଜିଲ୍ଲାର ସମସ୍ତ ଅଧିକାରୀ ମାନେ ଯୋଗଦେଇ ଡ. ପୃଷ୍ଟିଙ୍କର କର୍ତ୍ତବ୍ଯନିଷ୍ଠା, ପ୍ରଶାସନିକ ଦକ୍ଷତା, ଅନୁଶାସନ ଓ ଅନ୍ଯାନ୍ଯ ସୁଗୁଣର ସ୍ମୃତି ଚାରଣ କରିଥିଲେ । ବ୍ରହ୍ମପୁର ମହାନଗର ନିଗମର ଉପ ଆଯୁକ୍ତ କଲ୍ଯାଣୀ ସଂଘମିତ୍ରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
ଗଞ୍ଜାମ, ଛତ୍ରପୁର
