**ବାଉଁଶ କଳାରେ ଜୀବିକାର ସମ୍ଭାବନା ପହରିଆ ସମ୍ପ୍ରଦାୟ ପାଇଁ ସ୍ଥାୟୀ ଜୀବିକା,*
ନୂଆପଡ଼ା( ମିଖାଏଲ ନନ୍ଦ)
ତା – ୫-୪
ନୂଆପଡ଼ା ଜିଲ୍ଲାର ଆକାଂକ୍ଷୀ ବ୍ଲକ ବୋଡେନ ଅନ୍ତର୍ଗତ ଭଇଁସାଦାନି ଗ୍ରାମର ପହରିଆ ସମ୍ପ୍ରଦାୟ ପୂର୍ବରୁ ପାରମ୍ପରିକ ବାଉଁଶ ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରୁଥିଲେ । ସମୟ ସହିତ ଏହି ପାରମ୍ପରିକ ସାମଗ୍ରୀର ଚାହିଦା କମିଥିବାରୁ ଏବଂ ଯଥେଷ୍ଟ ଆୟ ନ ମିଳିବାରୁ ବର୍ତ୍ତମାନ ପିଢ଼ି ଏହି କୌଳିକ ବୃତ୍ତିରୁ ଦୁରେଇ ରହିବା ଓ ଜୀବିକା ପାଇଁ ପ୍ରବାସୀ ହେଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ
ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ୨୦୨୫ ଡିସେମ୍ବର ମାସରୁ ହସ୍ତଶିଳ୍ପ, ହସ୍ତତନ୍ତ୍ର ଓ ବୟନ ବିଭାଗ ନୂଆପଡ଼ା ଦ୍ୱାରା ୧୫ ଜଣ ମହିଳା ସଦସ୍ୟଙ୍କୁ ବାଉଁଶ ଶିଳ୍ପର ଉନ୍ନତ ପ୍ରଶିକ୍ଷଣ ଦିଆଯାଉଛି ଯାହାକି ଆସନ୍ତା ମଇ ୨୦୨୬ ପର୍ଯ୍ୟନ୍ତ ଚାଲିବ । ବର୍ତ୍ତମାନ ଏହି ମହିଳାମାନେ ବାଉଁଶ ଦ୍ୱାରା ଘର ସୌନ୍ଦଯ୍ୟକରଣ ଓ ଉପହାର ସାମଗ୍ରୀ ଏବଂ ବିଭିନ୍ନ ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ ତିଆରି କରୁଛନ୍ତି ।ଏହି ପ୍ରୟାସ ଦ୍ବାରା ସ୍ଥାନୀୟ
ଲୋକଙ୍କ ମଧ୍ୟରେ ଆତ୍ମନିର୍ଭରତାର ନୂଆ ଆଶା ସୃଷ୍ଟି ହୋଇଛି କିନ୍ତୁ ତାଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ବଜାର ବ୍ୟବସ୍ଥା । ଉତ୍ପାଦିତ ପଦାର୍ଥକୁ ସଠିକ୍ ବଜାର ମିଳିନଥିବାରୁ ତାଙ୍କର ଆୟ ବୃଦ୍ଧି ସୀମିତ ରହି ଯାଉଛି । ସ୍ଥାନୀୟ ଶିଳ୍ପୀ କହିଛନ୍ତି ଯେ ତାଙ୍କ ଗ୍ରାମ ନିକଟରେ ଥିବା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାତାଳଗଙ୍ଗା ଠାରେ ସରକାରଙ୍କ ଦ୍ୱାରା ନିର୍ମିତ ଷ୍ଟଲ ରହିଛି ଓ ଏହି ତୀର୍ଥ କ୍ଷେତ୍ରକୁ ଦୈନିକ ପର୍ଯ୍ୟଟକ ଆସୁଛନ୍ତି ,ଖରୀଆର ଏବଂ ନୂଆପଡ଼ା ଠାରେ ମଧ୍ୟ ଜିଲ୍ଲା ପ୍ରଶାସନ ଯଦି ଶିଳ୍ପୀମାନଙ୍କୁ ଏକ ଷ୍ଟଲର ବ୍ୟବସ୍ଥା କରନ୍ତେ ତେବେ ସେମାନେ ତାଙ୍କର ହସ୍ତଶିଳ୍ପ ସାମଗ୍ରୀ ସହଜରେ ବିକ୍ରୟ କରିପାରିବେ ଏବଂ ସ୍ଥାୟୀ ବଜାର ସୁବିଧା ପାଇପାରିବେ । ଏହି ପାହାଡିଆ ପହରିଆ ମାନଙ୍କ ସ୍ଥାୟୀ ଜୀବିକା ପାଇଁ ବାଉଁଶ ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ତିଆରି କରି ଦାଦନ ନ ଯିବାକୁ ପ୍ରାକ୍ତନ ବି ଡି ଓ ସୁଶାନ୍ତ କୁମାର ରଣା,ଉପ ନିର୍ଦ୍ଦେଶକ ହସ୍ତ ଶିଳ୍ପ ନୂଆପଡ଼ା ପୁଷ୍ପ ରଞ୍ଜନ ସାହୁ,ବର୍ତ୍ତମାନର ବି ଡି ଓ କାର୍ମୀ ଓରାମ,ଏ ବି ପି ଏଫ୍ ରାକେଶ କୁମାର ଷଡଙ୍ଗୀ ପ୍ରୟାସ ଜାରି ରଖିଛନ୍ତି ।ନୂଆପଡ଼ା ଠାରେ ଆୟୋଜିତ ମାରାଗୁଡ଼ା ମହୋତ୍ସବରେ ଏକ ଷ୍ଟଲରେ ଏହି ସାମଗ୍ରୀ ସବୁ ରଖିଥିବା ସହ ଏହାର ଚାହିଦା ଥିବା ଦେଖିବାକୁ ମିଳିଛି ।
ସରକାର ଓ ସମ୍ପୃକ୍ତ ବିଭାଗଙ୍କ ସହଯୋଗ ମିଳିଲେ ଏହି ପ୍ରୟାସ ଆଗାମୀ ଦିନରେ ପହରିଆ ସମୁଦାୟ ପାଇଁ ଏକ ସ୍ଥାୟୀ ଜୀବିକାର ମାର୍ଗ ହୋଇଉଠିବ ବୋଲି ଆଶା କରାଯାଉଛି ।
