*ରେଢ଼ାଖୋଲ ଡିଭିଜନର ସମସ୍ତ ୯ଟି ରେଞ୍ଜରେ ଗଣ ବିକ୍ଷୋଭ ଓ ଧାରଣାର ପ୍ରଥମ ଦିନ*
*ଦାବୀ ପୂରଣ ନହେଲେ ୨୭ ଫେବୃଆରୀରେ ରେଢ଼ାଖୋଲ ସହ ରାଜ୍ୟ ତମାମ ରାସ୍ତା ରୋକ ଚେତାବନୀ*
ରେଢ଼ାଖୋଲ, ୨୦/୦୨: (ଭଞ୍ଜ ଦୂତ )ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଘୋଷିତ ଦୁଇଦିନିଆ ଗଣଧାରଣାର ପ୍ରଥମ ଦିନରେ ରେଢ଼ାଖୋଲ ଡିଭିଜନର ସମସ୍ତ ୯ଟି ରେଞ୍ଜରେ ଗଣ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ସଫଳଭାବେ ଅନୁଷ୍ଠିତ ହୋଇଛି। ରେଢ଼ାଖୋଲର ସମସ୍ତ ରେଞ୍ଜରେ ଶତାଧିକ ତୋଳାଳୀ ଓ ସିଜନାଲ୍ କର୍ମଚାରୀ ନିଜ ନିଜ ଦାବୀ ନେଇ ଧାରଣାରେ ସାମିଲ ହୋଇଥିଲେ।
କେନ୍ଦୁପତ୍ର ତୋଳାଳୀଙ୍କ କେରି ପ୍ରତି ଦର ବୃଦ୍ଧି, ସିଜନାଲ୍ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ୨୦୨୪ ଅନୁପାତରେ ପ୍ରଦାନ, ବନ୍ଧେଇ ଶ୍ରମିକଙ୍କ ବଣ୍ଡଲ୍ ପ୍ରତି ଦର ବୃଦ୍ଧି, ବୋନସ୍ ଘୋଷଣା, ସାମାଜିକ ନିରାପତ୍ତା ପାଇଁ ୨୦୦ କୋଟି ଟଙ୍କା ବଜେଟ୍ ପ୍ରାବଧାନ ଓ ମୃତ୍ୟୁକାଳୀନ ସହାୟତାକୁ ୪ ଲକ୍ଷ ଟଙ୍କା କରିବା ଆଦି ଦାବୀ ଉପରେ ସଂଘ ପକ୍ଷରୁ ଜୋର ଦିଆଯାଇଥିଲା। ଏହାସହ କେନ୍ଦୁପତ୍ର ଫଡ଼ି ଉଚ୍ଛେଦ ଓ ପ୍ରସ୍ତାବିତ ଘରୋଇକରଣ ପ୍ରତିବାଦରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା।
ରାଜ୍ୟ ସଂଗଠନ ସମ୍ପାଦକ ସଞ୍ଜିତ ମହାନ୍ତି, ଡିଭିଜନ ସମ୍ପାଦକ କିଶୋର ପ୍ରଧାନ ଓ ଯୁଗ୍ନ ସମ୍ପାଦକ ଉଦିତ ତ୍ରିପାଠୀ, ମିଡ଼ିଆ ସଂଯୋଜକ ଦେବ ଜ୍ୟୋତି ପଟ୍ଟନାୟକ ସମସ୍ତ ରେଞ୍ଜ ଗସ୍ତ କରି ତୋଳାଳୀ ଓ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ। ଶ୍ରୀ ମହାନ୍ତି ଦାବୀ ପୂରଣ ନହେଲେ ଆଗାମୀ ୨୭ ଫେବୃଆରୀରେ ରେଢ଼ାଖୋଲ ସହ ରାଜ୍ୟ ତମାମ ରାସ୍ତା ରୋକ ଆନ୍ଦୋଳନକୁ ତୀବ୍ର କରାଯିବ ଓ ଏହା ପାଇଁ ପ୍ରସ୍ତୁତି ନେବାକୁ ଆହ୍ଵାନ ଜଣାଇଥିଲେ। ଆଜିର ଏହି ବିକ୍ଷୋଭ ରେ ରେଞ୍ଜ ସମ୍ପାଦକ ଅଖୋଜ ପ୍ରଧାନ, ଭିକାରି ପ୍ରଧାନ, ଜିତେନ୍ଦ୍ରିୟ ଷଣ୍ଢ, ନୀଳାଦ୍ରି ପ୍ରଧାନ, ଅରୁଣ ପ୍ରଧାନ, ପ୍ରମୋଦ ସାହୁ, ଟିକେଶ୍ୱର ଝାଙ୍କର ,ଦିଲୀପ ନନ୍ଦ, ଜଗବନ୍ଧୁ ଜେନା, ଦଇତାରୀ ମିର୍ଧା, ସତ୍ୟବାଦୀ ନାୟକ, ଶଶିଭୂଷଣ ପ୍ରଧାନ, ମକରଧ୍ୱଜ ପ୍ରଧାନ, ଯୁଧିଷ୍ଠିର ପ୍ରଧାନ, ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱ ରେ ସମସ୍ତ ରେଞ୍ଜ ରେ ଶତାଧିକ ତୋଳାଳୀ ଓ କର୍ମଚାରୀଙ୍କୁ ନେଇ ଆଜିର ଏହି ଧାରଣା ଓ ବିକ୍ଷୋଭ ସମାବେଶ ହୋଇଥିଲା
