ତହସିଲଦାରଙ୍କ ଘରେ ଚଢ଼ାଉ କରି ଖାଲି ହାତରେ ଫେରିଲା ଭିଜିଲାନ୍ସ: ପଥର ମାଫିଆଙ୍କ ଆକ୍ରୋଶ ଓ ଷଡଯନ୍ତ୍ରର ଶିକାର ହେଲେ କି ତହସିଲଦାର !
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ପଥର ଗାଡି ଛାଡିବାକୁ ଲାଞ୍ଚ ନେଉଥିବା ଅଭିଯୋଗରେ ସୋର ତହସିଲଦାର ଦୈତାରୀ ମଲିକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମାତ୍ର ସେ ରହୁଥିବା ଭଡ଼ା ଘର କିମ୍ବା ବାସଭବନରୁ କିଛି ନ ପାଇ ଭିଜିଲାନ୍ସ ଟିମ ଖାଲି ହାତରେ ଫେରିଯାଇଥିବା ଜଣାପଡିଛି। ଏପରିକି ଲାଞ୍ଚ ନେଉଥିବା ବେଳେ ଧରାପଡିଥିବା ଦଲାଲ ମଧ୍ୟ ତହସିଲଦାର ଉକ୍ତ ଟଙ୍କାକୁ ଗ୍ରହଣ କରିନଥିବା କହିଛି। ତେବେ କେଉଁ ଆଧାରରେ ତହସିଲଦାରଙ୍କୁ ଭିଜିଲାନ୍ସ ଟିମ ବାନ୍ଧିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୧୧ ତାରିଖରେ ବାଗୁଡି ପଥର ଖାଦାନରୁ ପଥର ଚୋରିର ଖବର ପାଇ ସୋର ତହସିଲଦାର ଦୈତାରୀ ମଲିକ ଚଢାଉ କରିଥିଲେ। ଏହି ସମୟରେ ୫ଟି ବେଆଇନ ପଥର ଗାଡିକୁ ଜବତ କରି ସୋର ତହସିଲ ପରିସରରେ ରଖିଥିଲେ। ଗାଡି ଗୁଡିକୁ ଛାଡିବା ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ୪୦ହଜାର ଟଙ୍କା ଟ୍ରକ ମାଲିକ ସଂଙ୍ଘର ଜଣେ କର୍ମକତ୍ତା ମାଧ୍ୟମରେ ନେଉଥିବା ଅଭିଯୋଗରେ ଗତକାଲି ଅପରାହ୍ଣରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଉକ୍ତ ଦଲାଲଙ୍କୁ ସୋର ବସଷ୍ଟାଣ୍ଡ ନିକଟରୁ ଟଙ୍କା ସମତେ ଗିରଫ କରାଯାଇଥିବା ବେଳେ ତହସିଲଦାରଙ୍କୁ ତାଙ୍କ ଅଫିସରୁ ଗିରଫ କରାଯାଇଥିଲା। ପରେ ଆୟବର୍ହିଭୁତ ଅଭିଯୋଗରେ ତହସିଲଦାରଙ୍କ ସୋର ବାସଭବନ, କାର୍ଯ୍ୟାଳୟ ଓ ଭୁବନେଶ୍ୱରରେଥିବା ଭଡା ଘରେ ଚଢାଉ କରାଯାଇଥିଲା। ମାତ୍ର ଚଢ଼ାଉ ପରେ କିଛି ମିଳିନଥିବା ବେଳେ ଗୋଟିଏ ପାସ ବୁକ ଓ କିଛି କାଗଜପତ୍ର ଭିଜିଲାନ୍ସ ଟିମ ସାଙ୍ଗରେ ନେଇଥିବା ଜଣାପଡିଛି। ଅନ୍ୟପଟେ ଗିରଫହୋଇଥିବା ଦଲାଲ ଜଣଙ୍କ ୪୦ହଜାର ଟଙ୍କା ତହସିଲଦାରଙ୍କ ପାଇଁ ନେଇଥିବା ବେଳେ ତହସିଲଦାର ତାହା ଗ୍ରହଣ ନକରିବାରୁ ଟଙ୍କା ଫେରସ୍ତ ଆଣିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ସୋର ବସଷ୍ଟାଣ୍ଡ ନିକଟରୁ ଧରିଥିବା ସ୍ବୀକାର କରିଛନ୍ତି। ତେବେ କେଉଁ କାରଣରୁ ତହସିଲଦାରଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଲା ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିବା ସହ ପଥର ମାଫିଆଙ୍କ ଆକ୍ରୋଶ ଓ ଷଡଯନ୍ତ୍ରର ଶିକାର ହେବା ଅନ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
