ଯାଜପୁରରେ ଜାତୀୟ ଜନଗଣନା–୨୦୨୭ ପାଇଁ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
— ଜନଗଣନାରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଆହ୍ୱାନ
ଯାଜପୁର, ୧୧/୦୨/୨୬:(ଭଞ୍ଜଦୂତ:ନିପ୍ର)ସରୋଜ କୁମାର ଧଳ
ଯାଜପୁର ଜିଲ୍ଲାରେ ଜାତୀୟ ଜନଗଣନା-୨୦୨୭ର ସଫଳ ରୂପାୟନ ପାଇଁ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ ଏଥିରେ ଅଧ୍ୟକ୍ଷତା କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ପକ୍ଷରୁ ଜିଲ୍ଲାର ନୋଡାଲ ଅଧିକାରୀ ଭାବେ ଶ୍ରୀମତୀ ମିଲ୍ଲିତା ଦତ୍ତ, ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଡିଲିଙ୍ଗ ଆସିଷ୍ଟାଣ୍ଟ, ତିନି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀମାନେ ଯୋଗଦାନ କରିଥିଲେ। ଜନଗଣନା ଦାୟିତ୍ୱରେ ଥିବା ସହକାରୀ ଜିଲ୍ଲାପାଳ ଶ୍ରୀମତୀ ନିବେଦିତା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଜନଗଣନା ଭାରତର ୧୬ତମ ଜନଗଣନା ଏବଂ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା ହେବ। ଏହା ଦୁଇଟି ପର୍ଯ୍ୟାୟରେ ସଂପନ୍ନ ହେବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଓ ଗୃହ ଗଣନା ୨୦୨୬ ମସିହା ଏପ୍ରିଲ ୧୬ ତାରିଖରୁ ୧୫ ମଇ ପର୍ଯ୍ୟନ୍ତ ହେବ । ଏହା ପୂର୍ବରୁ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରେ ଜନସାଧାରଣଙ୍କ ପାଇଁ ସ୍ୱ-ଗଣନା ସୁବିଧା ଉପଲବ୍ଧ ରହିବ, ଯାହା ମାଧ୍ୟମରେ ନାଗରିକମାନେ ନିଜ ତଥ୍ୟ ଅନଲାଇନ ୱେବସାଇଟ ଜରିଆରେ ପ୍ରଦାନ କରିପାରିବେ। ଦ୍ଵିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ୨୦୨୭ ଫେବୃଆରୀ ୯ ରୁ ୨୮ ପର୍ଯ୍ୟନ୍ତ ହେବ ଏବଂ ୧ ରୁ ୫ ମାର୍ଚ୍ଚ, ୨୦୨୭ ମଧ୍ୟରେ ରିଭିଜନାଲ ରାଉଣ୍ଡ କରାଯିବ। ମାର୍ଚ୍ଚ ୧, ୨୦୨୭ ରାତି ୧୨ ଟାକୁ ଆଧାର କରି ଏହା କରାଯିବ। ଏହି ଜନଗଣନା ପ୍ରଥମ ଥର ପାଇଁ ସଂପୂର୍ଣ୍ଣ ଡିଜିଟାଲ ପ୍ରଣାଳୀରେ କରାଯିବ। ସିଏମଏମଏସ ଓ ମୋବାଇଲ ଆପ୍ ମାଧ୍ୟମରେ ଗଣନାକାରୀମାନେ ଘର ଘର ଯାଇ ତଥ୍ୟ ସଂଗ୍ରହ କରିବେ । ଏହା ଦ୍ଵାରା ତଥ୍ୟର ସଠିକତା, ସ୍ପଷ୍ଟତା ଓ ଦ୍ରୁତ ମନିଟରିଂ ସୁନିଶ୍ଚିତ ହେବ । ଏହି ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ସାଧାରଣ ଓ ବିବିଧ ବିଭାଗରୁ ଜନଗଣନା ବିଭାଗର ଦାୟିତ୍ୱରେ ଥିବା ଶ୍ରୀ ବିକାଶ ଦୀପ ତରାଇ, ଶ୍ରୀ ଧନଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
