ମନ୍ଦିର ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ଥାନା ବାଗୁଡି ଶିବ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସୋର ଥାନା ମୁଳିସିଂ ଗ୍ରାମର ରବିନ୍ଦ୍ର ସିଂ ଗତ ୪ବର୍ଷ ତଳେ ବାଗୁଡି ଗ୍ରାମର ରୁକ୍ମଣି ସିଂଙ୍କୁ ବିବାହ କରିଥିଲେ। ରବିନ୍ଦ୍ର ହାଇଦ୍ରାବାଦର ଏକ ଚକଲେଟ କମ୍ପାନୀରେ କାମ କରୁଥିବା ବେଳେ ଗତ ୪ଦିନ ତଳେ ଘରକୁ ଆସିଥିଲେ। ରୁକ୍ମିଣୀ ତାଙ୍କ ବାପା ଘର ବାଗୁଡିରେ ରହୁଥିବା ବେଳେ ସେ ଅନ୍ୟଜଣେ ପୁରୁଷଙ୍କୁ ଭଲ ପାଉଥିବା ରବିନ୍ଦ୍ର ଜାଣିବାକୁ ପାଇ ତାଙ୍କୁ ବୁଝାସୁଝା କରିବାକୁ ବାଗୁଡି ଯାଇଥିଲେ। ମାତ୍ର ଆଜି ସକାଳେ ବାଗୁଡିରେ ଥିବା ମଣି ମନ୍ଦିରର ଘଣ୍ଟାରେ ବେକରେ ଲୁଗା ବାନ୍ଧି ଝୁଲିଥିବାର ସ୍ଥାନୀୟଲୋକେ ଦେଖି ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରୁ ରବିନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ। ରବିନ୍ଦ୍ରଙ୍କ ମା ସୋର ଥାନାରେ ରବିନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।
