ଏମ୍.କେ.ସି.ଜି. ମେଡିକାଲରେ ସରକାରୀ ଯୋଗାଣ ସାମଗ୍ରୀ ବାଟମାରଣା ଅଭିଯୋଗ
ବ୍ରହ୍ମପୁର, ତା.୯.୧.୨୦୨୬ ବ୍ରହ୍ମପୁରସ୍ଥିତ ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ନିର୍ଦ୍ଧାରିତ ସରକାରୀ ଯୋଗାଣ ସାମଗ୍ରୀ ବ୍ୟାପକ ମାତ୍ରାରେ ବାଟମାରଣା ହେଉଛି ବୋଲି ଅଭିଯୋଗ ଆଣିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ସରକାରୀ ଯୋଗାଣ ଅନ୍ତର୍ଗତ ବେଡ୍ସିଟ୍, ମସୁରୀ, ବେଡ୍ପେନ୍, ମ୍ୟାଟ୍ରେସ୍, ଶୀତବସ୍ତ୍ର, ମାସ୍କ ଇତ୍ୟାଦି ସାମଗ୍ରୀ ରୋଗୀମାନଙ୍କୁ ନିଶୁଳ୍କ ଭାବେ ମିଳିବା କଥା ଥିଲେ ମଧ୍ୟ, ପ୍ରକୃତରେ ଅଧିକାଂଶ ରୋଗୀ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ଅଥଚ ସରକାର ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ବୋଲି ପ୍ରଚାର କରୁଛନ୍ତି, ଯାହା ବାସ୍ତବତା ସହ ସମ୍ପୂର୍ଣ୍ଣ ବିପରୀତ । ରୋଗୀ ସେବା ଓ ଉତ୍ତମ ଚିକିତ୍ସା ବ୍ୟବସ୍ଥା ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ବିଜ୍ଞାପନ, ହୋଡିଂ ଓ ପ୍ରଚାରରେ ବ୍ୟୟ କରୁଥିବା ବେଳେ, ସରକାରୀ ହସ୍ପିଟାଲମାନଙ୍କର ବାସ୍ତବ ଅବସ୍ଥା ଅତ୍ୟନ୍ତ ଦୟନୀୟ । ଅନ୍ତଃବିଭାଗରେ ଭର୍ତ୍ତି ରୋଗୀମାନେ ପିଇବା ପାଣି, ପରିଷ୍କାର–ପରିଚ୍ଛନ୍ନତା ଓ ମୌଳିକ ସୁବିଧାର ଅଭାବରେ ଅସହ୍ୟ କଷ୍ଟ ଭୋଗୁଛନ୍ତି ।ବର୍ତ୍ତମାନର ହାଡ଼ଭଙ୍ଗା ଶୀତ ଋତୁରେ ବେଡ୍ସିଟ୍, ମସୁରୀ, ମ୍ୟାଟ୍ରେସ୍, ଶୀତବସ୍ତ୍ର ଓ ମାସ୍କ ଭଳି ଆବଶ୍ୟକୀୟ ସାମଗ୍ରୀ ଯଥାଯଥ ଭାବେ ଯୋଗାଇ ଦିଆଯାଉନଥିବାରୁ ରୋଗୀମାନଙ୍କ ସ୍ଥିତି ଆହୁରି ଦୁର୍ଦ୍ଦଶାପୂର୍ଣ୍ଣ ହୋଇପଡ଼ିଛି । ବିଶେଷକରି ଯକ୍ଷ୍ମା ବିଭାଗରେ ସଂକ୍ରମଣ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ପ୍ରତି ଘୋର ଅବହେଳା ହେଉଛି l ଏହି ପରିସ୍ଥିତିରେ ଅଧିକାଂଶ ରୋଗୀ ନିଜ ଘରୁ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ ବାଧ୍ୟ ହେଉଛନ୍ତି । ଏଥିରେ ଗରିବ ଓ ଅସହାୟ ରୋଗୀମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । ତୁରନ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆନଗଲେ ପରିସ୍ଥିତି ଆହୁରି ଗମ୍ଭୀର ହେବ ଓ ଏହା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ମଞ୍ଚ ଚେତାବନୀ ଦେଇଛି । ଆଜି ଏହି ସମ୍ବନ୍ଧରେ ମଞ୍ଚର ପ୍ରତିନିଧି ଦଳ ଏମ୍.କେ.ସି.ଜି. ମେଡିକାଲର ଅଧିକ୍ଷକ ଡା. ଦୁର୍ଗା ପ୍ରସାଦ ଶତପଥୀଙ୍କ ସହ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ଅବିକଳ ନକଲ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହଲିଙ୍ଗ ଓ ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଛି ।ପ୍ରତିନିଧି ଦଳରେ ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା, ବିଶିଷ୍ଟ ସମାଜସେବୀ ମନୋଜ କୁମାର ତରାଇ ଓ ଆପ୍ ନେତା ଆଦିତ୍ୟ ପ୍ରସାଦ ରଥ ସାମିଲ ଥିଲେ ।
